ଦେବଗଡ଼:ରାଜରାସ୍ତା ପାଲଟିଲାଣି ଗାଈ ଗୁହାଳ । ଯୁଆଡ଼େ ଦେଖିଲେ ଚାରିଆଡ଼େ ଏଣେତେଣେ ବୁଲୁଛନ୍ତି ମାଳମାଳ ଗାଈ । ବୁଲା ଗାଈଗୋରୁଙ୍କ କବଜାରେ ରହିଛି ସହରର ଛକବଜାର । ଦେବଗଡ ଜିଲ୍ଲାରେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ଗାଈଗୋଠରେ ପରିଣତ ହେଲାଣି ଦେବଗଡ଼ର ରାଜରାସ୍ତା। ଜନଗହଳି ପୂର୍ଣ୍ଣ ରାସ୍ତାଘାଟ ସାହିବସ୍ତି ଓ ବଜାର ସବୁଠି ମାଳମାଳ ହୋଇ ଗାଈଗୋରୁ ଓ ବୁଲାଷଣ୍ଢଙ୍କୁ ଦେଖିଲେ ଗୋପାଳକଙ୍କ ପ୍ରତି ପୌର କର୍ତ୍ତୃପକ୍ଷଙ୍କ କୌଣସି ନିୟନ୍ତ୍ରଣ ଥିବା ଭଳି ମନେ ହେଉନାହିଁ ।
ମୋଟ 11 ଗୋଟି ୱାର୍ଡକୁ ନେଇ ଗଠିତ ଦେବଗଡ଼ ପୌରାଞ୍ଚଳରେ ଗୋରୁଗାଈ ଓ ବୁଲା ଷଣ୍ଢଙ୍କ ଅବାଧ ବିଚରଣ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସହରର ବିଭିନ୍ନ ସାହି ବସ୍ତି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ଓ ବଜାର ପର୍ଯ୍ୟନ୍ତ ସବୁଠି ଶହଶହ ସଂଖ୍ୟାରେ ଗାଈଗୋରୁ ଓ ବୁଲାଷଣ୍ଢ କବଜା କରିଛନ୍ତି । ବିଭିନ୍ନ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ମାଳମାଳ ଗାଈଗୋରୁ ମାନେ ଦିନରାତି ଶୋଇ ରହୁଛନ୍ତି । ଫଳରେ ସାରା ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଫଳରେ ସହରର ପରିବେଶ ନଷ୍ଟ ହେଉଛି । ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ୟ ଯୋଗୁଁ ସହରରେ ସଡକ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଏଥିରେ ଅତିଷ୍ଠ ହୋଇଗଲେଣି ସହରବାସୀ । ଏନେଇ ସହରବାସୀ କହିଛନ୍ତି, " ରାସ୍ତା ଉପରେ ଗାଈଗୋରୁ ବୁଲିବା ସହିତ ରାସ୍ତା ଜାମ କରିବା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ହୋଇଥାଏ । ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହିଁ।"