ଓଡିଶା

odisha

ETV Bharat / state

ପରିତ୍ୟକ୍ତ ଭାବେ ପଡିଛି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର - ଦେବଗଡ଼ ଅବ୍ୟବହୃତ ଦକ୍ଷତା ବିକାଶ କେନ୍ଦ୍ର

ଦେବଗଡ ଜିଲ୍ଲାରେ କାମରେ ଆସୁନି ଦକ୍ଷତା ବିକାଶ କେନ୍ଦ୍ର । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏଠି ଏବେ ପରିତ୍ୟକ୍ତ ଭାବେ ପଡିରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପରିତ୍ୟକ୍ତ ଭାବେ ପଡିଛି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର
ପରିତ୍ୟକ୍ତ ଭାବେ ପଡିଛି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର

By ETV Bharat Odisha Team

Published : Sep 4, 2023, 7:30 AM IST

Updated : Sep 4, 2023, 7:43 AM IST

ପରିତ୍ୟକ୍ତ ଭାବେ ପଡିଛି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର

ଦେବଗଡ଼:ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜିଲ୍ଲା ଭିତ୍ତିଭୂମିର ବିକାଶ କରୁଛନ୍ତି ସତ, ହେଲେ ପ୍ରଶାସନିକ କଳର ଅପାରଗତା ଓ ଅଦୂରଦର୍ଶିତା କାରଣରୁ ଅନେକ ସରକାରୀ ସମ୍ପତ୍ତି ସଦୁପଯୋଗ ନହୋଇ ପରିତ୍ୟକ୍ତ ଭାବେ ପଡିରହୁଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଜିଲ୍ଲାରୁ । ତିଳେଇବଣି ବ୍ଲକର ବୁକାବେଡା ସ୍ଥିତ 49 ନମ୍ବର ଜାତୀୟ ରାଜପଥ କଡରେ ରହିଛି ଏକ ଦକ୍ଷତା ବିକାଶ କେନ୍ଦ୍ର । କିନ୍ତୁ ତାହା ବ୍ୟବହାରରେ ନଲାଗି ପରିତ୍ୟକ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ବଢୁଛି ।

ଆଦିବାସୀ ବହୁଳ ତିଳେଇବଣି ବ୍ଲକର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ପ୍ରଦାନ କରି ଆତ୍ମନିର୍ଭରଶୀଳ କରିବା ନିମନ୍ତେ ତିଆରି କରାଯାଇଥିଲା ଏହି ଦକ୍ଷତା ବିକାଶ କେନ୍ଦ୍ର । ଗତ 2016 - 17 ମସିହାରେ ବୁକାବେଡା ଗ୍ରାମ ସ୍ଥିତ 49 ନମ୍ବର ଜାତୀୟ ରାଜପଥ କଡରେ ସରକାର ଏହି ଦକ୍ଷତା ବିକାଶ ତାଲିମ କେନ୍ଦ୍ରକୁ ନିର୍ମାଣ କରିଥିଲେ । କେନ୍ଦ୍ର ସରକାର ରାଜ କୋଷରୁ ଏଥିରେ ବ୍ୟୟ ହୋଇଥିଲା ପ୍ରାୟ 40 ଲକ୍ଷ ଟଙ୍କା । ଯୁବକ ଯୁବତୀଙ୍କ ତାଲିମ ପାଇଁ ଏଠାରେ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ଥିଲା । ଏହି କୋଠାଟି ନିର୍ମାଣ ପରେ ବର୍ଷେ ପର୍ଯ୍ୟନ୍ତ ଏଠାରେ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ବୈଷୟିକ ତାଲିମ ନେଇ ଆସୁଥିଲେ । ମାତ୍ର ବର୍ଷେ ପରେ ଏହି କେନ୍ଦ୍ରଟି ହଠାତ୍ ବନ୍ଦ କରାଯାଇ ଏଠାରେ ଥିବା ସମସ୍ତ ଉପକରଣ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ବ୍ରହ୍ମପୁର ITI ଛାତ୍ରଙ୍କ କମାଲ: କବାଡି ଜିନିଷରୁ ଆକର୍ଷଣୀୟ ବାଇକ, ମନକିଣୁଛି KTM Duke ମଡେଲ୍

ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କୋଠାଟି କୌଣସି ବ୍ୟବହାରରେ ଆସୁନଥିବା କାରଣରୁ ପରିତ୍ୟକ୍ତ ଭାବେ ପଡି ରହିଛି । ଦକ୍ଷତା ବିକାଶ କେନ୍ଦ୍ର ଚତୁପାର୍ଶ୍ଵରେ ଲଟା ବୁଦା ଓ ବୃକ୍ଷଲତାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲ ସୃଷ୍ଟି ହୋଇଗଲାଣି । ଦୀର୍ଘବର୍ଷ ହେବ କୋଠାଟି ବ୍ୟବହାର କ୍ଷମ ନ ହେବାରୁ ଓ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ଜାତୀୟ ରାଜପଥ କଡରୁ କୋଠାକୁ ଲକ୍ଷ୍ୟ କଲେ, ଏହା ଗୋଟିଏ ଭୂତ କୋଠି ସଦୃଶ ମନେ ହେଉଛି । ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି । ଏଠାରେ ରାତିରେ ଅନେକ ଅନୈତିକ କାର୍ଯ୍ୟକଳାପ ମଧ୍ୟ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶିକ୍ଷିତ ଯୁବକ ଯୁବତୀଙ୍କୁ ବୈଷୟିକ ତାଲିମ ଦେଇ ଆତ୍ମନିର୍ଭରଶୀଳ କରିବା ଲକ୍ଷରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ରଟି ପ୍ରଶାସନ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ହଠାତ୍‌ ବନ୍ଦ କରି ଦେଲେ, ତାହାର କାରଣ କିଛି ବୁଝା ପଡୁନାହିଁ ।

ତେବେ କେନ୍ଦ୍ରଟି ବନ୍ଦ ହୋଇଯିବାରୁ ବୈଷୟିକ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବାକୁ ଇଛୁକ ଥିବା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନେକ ଯୁବକ ଯୁବତୀ ତାଲିମ ନେବାରୁ ବଞ୍ଚିତ ହୋଇଛନ୍ତି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ତାଲିମ କେନ୍ଦ୍ର କୋଠାଟି ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଯିବା ପୂର୍ବରୁ ଏହାକୁ ପୁନ କାର୍ଯ୍ୟକ୍ଷମ କରିବା କିମ୍ବା ଅନ୍ୟ କୌଣସି ସରକାରୀ କାର୍ଯ୍ୟରେ ବିନିଯୋଗ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବିଡ଼ମ୍ବନାର ବିଷୟ ହେଲା, ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜିଲ୍ଲା ଭିତ୍ତିଭୂମିର ବିକାଶ କରୁଛନ୍ତି ସତ, ହେଲେ ପ୍ରଶାସନିକ କଳର ଅପାରଗତା ଓ ଅଦୂରଦର୍ଶିତା କାରଣରୁ ଏଭଳି ଅନେକ ସରକାରୀ ସମ୍ପତ୍ତି ସଦୁପଯୋଗ ନହୋଇ ପରିତ୍ୟକ୍ତ ଭାବେ ପଡିରହୁଛି ।

ଇଟିଭି ଭାରତ ,ଦେବଗଡ଼

Last Updated : Sep 4, 2023, 7:43 AM IST

ABOUT THE AUTHOR

...view details