ଦେବଗଡ:ଗାଁକୁ ନାହିଁ ନିତିଦିନିଆ ରାସ୍ତା । ନାଳ ପାର ହୋଇ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରୁଛନ୍ତି ତିନୋଟି ଗ୍ରାମର ଲୋକେ । ଦୀର୍ଘ ବର୍ଷ ଧରି ଗ୍ରାମବାସୀ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଧା ସମସ୍ୟା ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡିନାହିଁ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ସଦର ମହକୁମା ଠାରୁ ମାତ୍ର କିଲୋମିଟର ଦୂରରେ ଅବସ୍ଥିତ କଲଣ୍ଡା ପଞ୍ଚାୟତର କାଳିଆକଟା, ଚଡକମରା ଓ ଆମ୍ବୁଲପାଣି ଗାଁରେ ।
ସୂଚନା ମୁତାବକ, ତିନୋଟି ଗାଁରେ ପ୍ରାୟ 100ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଜିଲ୍ଲା ମୁଖ୍ୟାଳୟ ଠାରୁ ଏହା ଗାଁର ଦୂରତା ମାତ୍ର 6 କିଲୋମିଟର । ହେଲେ ଏଠାକାର ମୁଖ୍ୟ ସମସ୍ୟା ହେଲା ରାସ୍ତା । ଗାଁକୁ ଏଯାଏ ହୋଇପାରିନି ନିତିଦିନିଆ ରାସ୍ତା । ଦୁର୍ଗମ ପାହାଡିଆ ପାଦଚଲା ରାସ୍ତା ଅତିକ୍ରମ କରି ଓ ଗାଁ ନିକଟରେ ପ୍ରବାହିତ ହେଉଥିବା ବାଳିଆପିଟା ନାଳ ପାରି ହୋଇ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟ ଓ ଦେବଗଡ଼ ସହରକୁ ଯାତାୟତ କରିଥାନ୍ତି ଲୋକେ । ସ୍ଥାୟୀ ରାସ୍ତା ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ନାଳ ପାରିହୋଇ ଗାଁକୁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ହୋଇନଥାଏ । ତେଣୁ ରୋଗୀମାନେ ଠିକ ସମୟରେ ଡାକ୍ତରଖାନା ପହଞ୍ଚି ନପାରି ନାହିଁ ନଥିବା ଅସୁବିଧା ଭୋଗ କରିଥାନ୍ତି ।
ଗାଁ ଠାରୁ ଅନ୍ୟ ଗାଁ ସ୍କୁଲକୁ ପାଠ ପଢିବାକୁ ଯିବାକୁ ହେଲେ ପିଲାଙ୍କୁ ୮ କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ମୁଖ୍ୟତଃ ବର୍ଷା ଋତୁରେ ବାଳିଆପିଟା ନାଳରେ ବନ୍ୟା ଆସିବା ଫଳରେ ନାଳ ପାରିହୋଇ ଯାତାୟତ କରିବା ଲୋକଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ । ଫଳରେ ବର୍ଷା ଋତୁରେ ଏହି ତିନୋଟି ଗାଁ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ ଏନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ ।