ଓଡିଶା

odisha

ETV Bharat / state

ଦୀର୍ଘ 40 ବର୍ଷ ପରେ ବି ସୁଧୁରୁନି ସମସ୍ୟା, ୧୨ ଦଫା ଦାବି ନେଇ ବିସ୍ଥାପିତଙ୍କ ଗଣଧାରଣା

ରେଙ୍ଗାଳି ନଦୀବନ୍ଧ ଯୋଜନାକୁ ଦୀର୍ଘ ୪୦ ବର୍ଷ ବିତି ଯାଇଥିଲେ ବି ଏଯାଏଁ ଅସମାହିତ ହୋଇ ରହିଯାଇଛି ବିସ୍ଥାପିତ ଲୋକଙ୍କ ସମସ୍ୟା । ଅଧିକ ପଢ଼ନ୍ତୁ

40 ବର୍ଷ ପରେ ବି ଅସମାହିତ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା,  ୧୨ ଦଫା ଦାବିନେଇ ବିସ୍ଥାପିତ ଲୋକଙ୍କ ଗଣଧାରଣା
40 ବର୍ଷ ପରେ ବି ଅସମାହିତ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା, ୧୨ ଦଫା ଦାବିନେଇ ବିସ୍ଥାପିତ ଲୋକଙ୍କ ଗଣଧାରଣା

By

Published : Jun 8, 2022, 8:39 AM IST

ଦେବଗଡ଼:ରେଙ୍ଗାଳି ନଦୀବନ୍ଧ ଯୋଜନାକୁ ଦୀର୍ଘ ୪୦ ବର୍ଷ ବିତି ଯାଇଥିଲେ ବି ଏଯାଏଁ ଅସମାହିତ ହୋଇ ରହିଯାଇଛି ବିସ୍ଥାପିତ ଲୋକଙ୍କ ସମସ୍ୟା । ବହୁ ବିସ୍ଥାପିତ ପରିବାର ଏପର୍ଯ୍ୟନ୍ତ ଥଇଥାନ କିମ୍ବା କ୍ଷତିପୂରଣ ପାଇନଥିବା ବେଳେ, ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ସମସ୍ୟାର ସମାଧାନ ପାଇଁ ନିଜ ପ୍ରତିଶୃତି ବି ରଖିଲେନି ସରକାର । ଏହି ପରିପ୍ରେକ୍ଷୀରେ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୧୨ଦଫା ଦାବି ନେଇ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଗଣଧାରଣା ଦିଆଯାଇଛି ।

40 ବର୍ଷ ପରେ ବି ଅସମାହିତ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା, ୧୨ ଦଫା ଦାବିନେଇ ବିସ୍ଥାପିତ ଲୋକଙ୍କ ଗଣଧାରଣା

ସୂଚନାନୁସାରେ, ରେଙ୍ଗାଳି ନଦୀବନ୍ଧ ଯୋଜନାରେ ମୋଟ ୨୬୩ ଖଣ୍ଡ ଗାଁ ଜଳମଗ୍ନ ହୋଇଥିବା ବେଳେ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଦେବଗଡ଼ ଜିଲ୍ଲା । ଜିଲ୍ଲାର ବୃହତ ଅଞ୍ଚଳ ଜଳମଗ୍ନ ହୋଇଯିବା ସହ ହଜାର ହଜାର ପରିବାର ଏଥିରେ ବିସ୍ଥାପିତ ହୋଇଥିଲେ । କିଛି ପରିବାରକୁ ସରକାର ଶାଗମାଛ ଦରରେ କ୍ଷତିପୂରଣ ଦେଇ ନିଜ ନିଜ ଭିଟାମାଟିରୁ ଅଲଗା କରିଥିବା ବେଳେ, ଆହୁରି ଅନେକ ପରିବାର ଏପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାନ୍ତି । ତେବେ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତିର ଦାବି କ୍ରମେ ସରକାର ବିସ୍ଥାପିତ ସମସ୍ୟାର ସମାଧାନ ପୂର୍ବକ ଗତ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଆଲୋଚନା କରାଯାଇଥିଲା ।

ଏହି କମିଟିର ନିଷ୍ପତ୍ତି କ୍ରମେ ବର୍ଦ୍ଧିତ କ୍ଷତିପୂରଣ ପାଇଁ କୋର୍ଟରେ କେସ କରିପାରି ନଥିବା ଲୋକଙ୍କୁ ଏକର ପ୍ରତି ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ କ୍ଷତିପୂରଣ ପ୍ରଦାନ କରାଯିବା, ଦେବଗଡ଼ ଜୋନ କାର୍ଯ୍ୟାଳୟର ଜୋନ ଅଫିସର ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେବା, ଆଂଶିକ ବୁଡି ଗ୍ରାମକୁ ସମ୍ପୂର୍ଣ୍ଣ ବୁଡି ଘୋଷଣା କରାଯିବା, ପୁନର୍ବସତି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବା, ଲିଜ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଥିଲା ।

ଇତିମଧ୍ୟରେ ଦୀର୍ଘ ୧୨ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଦାବିରେ ଗତକାଲି ୬ତାରିଖ (ସୋମବାର) ଠାରୁ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ସଭାପତି ନେତ୍ରାନନ୍ଦ ସାମଲଙ୍କ ନେତୃତ୍ୱରେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଗଣଧାରଣା ଦିଆଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ରେଙ୍ଗାଳି ବିସ୍ଥାପିତ ଲୋକଙ୍କ ଅସମାହିତ ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ABOUT THE AUTHOR

...view details