ଦେବଗଡ:ରେଙ୍ଗାଳବେଡାଠାରେ ସ୍ବାସ୍ଥ୍ୟକେନ୍ଦ୍ର କୋଠାଟି ଛିଡ଼ା ହୋଇଛି । ହେଲେ ତାହା କୋମାରେ । ଭୂତ କୋଠୀ ପାଲଟିିଛି ସ୍ବାସ୍ଥ୍ୟକେନ୍ଦ୍ର । ଘର ଉପରେ ଲତା ମାଡ଼ି ଯାଇଛି । ଚାରିପାଖ ଜଙ୍ଗଲ । ଦେବଗଡ଼ ଜିଲ୍ଲା ରେଙ୍ଗାଳବେଡ଼ାଠାରେ ଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି ଅବସ୍ଥା ଦେଖିବାକୁ ମିଳିଛି । ଜଣେ ହେଲେ ବି ଡାକ୍ତର କି ନର୍ସ ନାହାନ୍ତି । ପୁରୁଣା କୋଠାଟି ଭାଙ୍ଗିରୁଜି ମାଟିରେ ମିଶି ଯାଇଥିବା ସରକାରୀ ରେକର୍ଡରେ ନାମକୁ ମାତ୍ର ଚାଲିଛି ଏହି ଡାକ୍ତରଖାନା । ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି 6ଟି ପଞ୍ଚାୟତର 30 ହଜାରରୁ ଉର୍ଦ୍ଧ୍ୱ ଲୋକ ।
ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷରେ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ 1978 ମସିହାରେ ଦେବଗଡ଼ ଜିଲ୍ଲା ରେଙ୍ଗାଳବେଡା ଠାରେ ସ୍ଥାପନ କରାଯାଇଥିଲା ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ଲୋକେ ସ୍ବାସ୍ଥ୍ୟସେବା ପାଇଁ ଆସୁଥିଲେ । ମାତ୍ର 1985 ମସିହାରେ ରେଙ୍ଗାଲି ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରଠାରୁ ସରକାରଙ୍କ ଜଳସମ୍ପଦ ବିଭାଗ ଏହାର ଆଉ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଲେ ନାହିଁ । ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରଟି ବନ୍ଦ ହୋଇଗଲା । ଲୋକେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ରହିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ପୁନଃ ଖୋଲାଯାଇ ଲୋକଙ୍କୁ ପୂର୍ବ ଭଳି ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରିଥିଲେ ।
2010 ମସିହାରେ ସରକାରଙ୍କ ଜଳସମ୍ପଦ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ମିଳିତ ବୈଠକ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଜଳସସମ୍ପଦ ବିଭାଗର ସ୍ବାସ୍ଥ୍ୟ ବିଭାଗ ଅଧିନକୁ ଟ୍ରାନ୍ସଫର ହୋଇଥିଲା । ଗତ 2012 ମସିହାରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜଳସମ୍ପଦ ବିଭାଗରୁ ନିଜ ଆଡ଼ମିନିଷ୍ଟ୍ରେଟିଭ୍ କଣ୍ଟ୍ରୋଲକୁ ନେଇ ସାରିଛନ୍ତି । ବର୍ତ୍ତମାନ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରହିଛି । ମାତ୍ର ଘୋର ପରିତାପର ବିଷୟ ଯେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ନାମକୁ ମାତ୍ର ଚାଲିଛି । ଜଣେ ହେଲେ ବି ଡାକ୍ତର, ନର୍ସ କିମ୍ବା ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ନାହାନ୍ତି ।