ଦେବଗଡ଼: ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡ଼ା ରାଜପଥ । ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନୀୟ କୁଜି ରାଜନେତା ଓ ଠିକାଦାର ଏହାର ମରାମତି କାର୍ଯ୍ୟ କରି ଆସୁଛନ୍ତି । ହେଲେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଫଳରେ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଥିବାବେଳେ ଅନେକ ଦୁର୍ଘଟଣା ଘଟୁଛି ।
ସେପଟେ ଧର୍ମକୁ ଆଖିଠାର ସଦୃଶ ମରାମତି କାମ କରି ମାଲାମାଲ ହେଉଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର । ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଛି ରାଞ୍ଚି-ବିଜୟୱାଡା ରାଜପଥ । ଗତ 2016-17 ମସିହାଠାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ କରି ଆସୁଛି । ଏହି ରାସ୍ତା ଉପରେ ଜିଲ୍ଲାର ସୁଗୁଡା, ଛେପଲିପାଲି, ଖିଲେଇ, ବାଘବର ଓ ପଳସମା ଆଦି 5ଟି ପଞ୍ଚାୟତର ଲୋକେ ନିର୍ଭର କରିବା ସହ ଝାରସୁଗୁଡା, କେନ୍ଦୁଝର ଓ ରାଉରକେଲାଠାରୁ ତାଳଚେର ଓ ଅନୁଗୋଳ ଆଦି ଶିଳ୍ପାଞ୍ଚଳକୁ ପ୍ରତିଦିନ ବହୁ ସଂଖ୍ୟାରେ ମାଲବାହୀ ଯାନବାହନ ଚଳାଚଳ କରିଥାଏ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଚଳିତ ବର୍ଷାଋତୁ ଆରମ୍ଭରୁ ଦେବଗଡ଼ଠାରୁ କରଲଗା ପର୍ଯ୍ୟନ୍ତ 43 କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠି ମେଟାଲ ପଦାକୁ ବାହାରି ପଡ଼ିବା ସହିତ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି ।
କେତେକ ବ୍ରିଜରୁ କଂକ୍ରିଟ ଉଠିଯାଇ ଛଡ଼ ସବୁ ପଦାକୁ ବାହାରି ପଡ଼ିଛି । ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ବର୍ଷାପାଣି ଭର୍ତ୍ତି ହୋଇ ରହୁଥିବାରୁ ଏଠାରେ ବହୁସଂଖ୍ୟାରେ ଦୁର୍ଘଟଣା ଘଟୁଛି । ଯାନବାହନଗୁଡ଼ିକ ଖାଲରେ ପଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ରାସ୍ତାଟି ବର୍ତ୍ତମାନ ଏକ ମରଣଯନ୍ତାରେ ପରିଣତ ହୋଇଥିବାବେଳେ ଏଠାରେ ଯାତାୟତ କରିବାକୁ ଲୋକେ ଆଉ ନିରାପଦ ମଣୁ ନାହାନ୍ତି । ଦେବଗଡ଼ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ରାସ୍ତାଟି ବିଭିନ୍ନ ସମୟରେ ମରାମତି ହେଉଛି ସତ ହେଲେ ଅତ୍ୟନ୍ତ ନିମ୍ନ ମାନର କାମ କରି ଠିକାଦାର ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି ।