ଓଡିଶା

odisha

ETV Bharat / state

ଦେବଗଡ଼ ପୌର ପରିଷଦର ଏକଛତ୍ରବାଦୀ ଶାସନ ! ବିରୋଧ ସତ୍ତ୍ୱେ ପାର୍କିଂ ସ୍ଥଳରେ ଚାଲିଛି ଭେଣ୍ଡିଂ ଜୋନ ନିର୍ମାଣ - ଭେଣ୍ଡିଂ ଜୋନ ନିର୍ମାଣକୁ ବିରୋଧ

ଦେବଗଡ଼ ପୌର ପରିଷଦ ପକ୍ଷରୁ ଚାଲିଥିବା ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟକୁ ସହରବାସୀଙ୍କ ବିରୋଧ । ଅଧିକ ପଢ଼ନ୍ତୁ

public to oppose construction of vending zone in deogarh
ଦେବଗଡ଼ରେ ଭେଣ୍ଡିଂ ଜୋନ ନିର୍ମାଣକୁ ବିରୋଧ

By

Published : May 28, 2023, 9:00 AM IST

ଦେବଗଡ଼ରେ ଭେଣ୍ଡିଂ ଜୋନ ନିର୍ମାଣକୁ ବିରୋଧ

ଦେବଗଡ଼: ପୌରାଞ୍ଚଳ ସ୍ଥିତ ଦୈନିକ ବଜାର ଓ ଟାଉନ ହଲ ସମ୍ମୁଖରେ ପୋୖର ପରିଷଦ ପକ୍ଷରୁ ଚାଲିଛି ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ । ଏହି ଭେଣ୍ଡିଂ ଜୋନ ହେଲେ ସହରର ଛୋଟମୋଟ ବେପାରୀ ମାନେ ସ୍ଥାୟୀ ଦୋକାନ ଗୃହ ଖଣ୍ଡିଏ ଲେଖାଁଏ ପାଇପାରିବେ । ମହତ ଲକ୍ଷ୍ୟ ନେଇ ପୌର କର୍ତ୍ତୃପକ୍ଷ ଏହି ନିର୍ମାଣ କାର୍ଯ୍ୟ ଜାରି ରଖିଥିବା କୁହାଯାଉଛି । ମାତ୍ର କାର୍ଯ୍ୟ ଆରମ୍ଭରୁ ଏହାକୁ ନେଇ ଦେଖାଦେଇଛି ବିବାଦ । ସହରବାସୀ ନିର୍ମାଣ କାର୍ଯ୍ୟକୁ ତୀବ୍ର ବିରୋଧ କରୁଛନ୍ତି ।

ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଉକ୍ତ ସ୍ଥାନଟି ଉପଯୁକ୍ତ ନୁହେଁ ଓ ଏହା ନିର୍ମାଣ ହେଲେ ସହରରେ ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟା ଦେଖାଦେବ । କାରଣ ଉକ୍ତ ସ୍ଥାନଟି ସହରର ସବୁଠାରୁ ଜନଗହଳି ପୂର୍ଣ୍ଣ ସ୍ଥାନ । ଏହାର ସମ୍ମୁଖରେ ଟାଉନ ହଲ, ଦୈନିକ ବଜାର ଓ ରାଜା ବାସୁଦେବ ହାଇସ୍କୁଲ ରହିଛି । ଏଠାରେ ଭେଣ୍ଡିଂ ଜୋନ ହେଲେ ରାସ୍ତାଟି ଅତି ସଂକୀର୍ଣ୍ଣ ହୋଇଯିବ । ସହରରେ ଟ୍ରାଫିକ ସମସ୍ୟା ଓ ଦୈନିକ ବଜାରକୁ ଆସୁଥିବା ଯାନବାହନ ପାଇଁ ପାର୍କିଂ ସମସ୍ୟା ଦେଖାଦେବ । ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ହେଲେ ରାଜାବାସୁଦେବ ହାଇସ୍କୁଲର ସମ୍ମୁଖ ଭାଗ ପ୍ରଭାବିତ ହେବ । ହାଇସ୍କୁଲ କୋଠାର ଝରକା ଓ ମୁଖ୍ୟ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ଏହି ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖି ଅନ୍ୟତ୍ର କରାଇବାକୁ ସହରବାସୀ ଦାବି କରି ଆସୁଛନ୍ତି ।


ଏହି ମର୍ମରେ ସହରବାସୀ ଏବଂ ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଯୋଗୁଁ ସହରରେ ଦେଖାଦେବାକୁ ଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଦେବଗଡ଼ ଏସପି କାର୍ଯ୍ୟ ସ୍ଥଗିତ ରଖିବାକୁ ପୋୖର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି କାର୍ଯ୍ୟ ଉକ୍ତ ସ୍ଥାନରେ ନକରାଇବାକୁ ରାଜାବାସୁଦେବ ହାଇସ୍କୁଲ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି । ପୋୖର କାଉନସିଲରମାନେ ମଧ୍ୟ ଏହାକୁ ବିରୋଧ କରି ସହରବାସୀଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି । ମାତ୍ର ପୌର କର୍ତ୍ତୃପକ୍ଷ କାହାରି କଥାକୁ କର୍ଣ୍ଣପାତ ନକରି ନିଜ ଜିଦରେ ଅଟଳ ରହି ଏକତରଫା ଭାବେ ଉକ୍ତ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ କରାଉଥିବା ଅଭିଯୋଗ ହୋଇଛି ।

ସହର ବାସୀ କହିଛନ୍ତି, "ଏଠାରେ ଭେଣ୍ଡିଂ ଜୋନ ତିଆରି ହେଲେ ସହରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ । ଏନେଇ ବାରମ୍ବାର ପୌର କର୍ତ୍ତୃପକ୍ଷଙ୍କୁ କହିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯଦି ପୌର ପ୍ରଶାସନ ଏହାକୁ ବନ୍ଦ ନକରନ୍ତି, ତେବେ ଏହା ବିରୋଧରେ ଦେବଗଡ଼ ସହରବାସୀ ରାଜରାସ୍ତାକୁ ଓହ୍ଲାଇବେ ।" ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏଠାରେ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ପାଇଁ ପୌର କାଉନସିଲ ବୈଠକରେ କୌଣସି ପ୍ରସ୍ତାବ ଗୃହୀତ ହୋଇନାହିଁ କି କାଉନସିଲ ଅନୁମୋଦନ ପାଇନାହିଁ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ଓ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି ।

ଏହି କାର୍ଯ୍ୟ ବନ୍ଦ କରାନଗଲେ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ଯେଉଁ ନିର୍ମାଣ କାର୍ଯ୍ୟ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି, ସେହି ନିର୍ମାଣ କାର୍ଯ୍ୟକୁ ପୌର କର୍ତ୍ତୃପକ୍ଷ ଏତେ ଗୁରୁତ୍ୱ ଦେଇ କାହା ସ୍ୱାର୍ଥରେ ନିର୍ମାଣ କରି ଚାଲିଛନ୍ତି ? ତେଣୁ ସହରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଥିପ୍ରତି ଜିଲ୍ଲାପାଳ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details