ଦେବଗଡ: ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହର ଠାରୁ ଉତ୍ତର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଏହି ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ପର୍ଯ୍ୟଟକଙ୍କ ଆଗମନକୁ ସ୍ବାଗତ କରିବାକୁ ପ୍ରକୃତିରାଣୀ ଏଠାରେ ନବବଧୂ ପରି ସଜାଇ ହୋଇଛି । ସୁଉଚ୍ଚ ଶିଖରରୁ ଖସି ପଡୁଥିବା ଝରଣାର ଜଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ଓଡିଶାର ପର୍ଯ୍ୟଟନ ସ୍ଥଳରେ ତାଲିକାରେ ସ୍ଥାନିତ ଏହି ସ୍ଥାନଟି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଅବସ୍ଥିତ । ନିଘଞ୍ଚ ଜଙ୍ଗଲ ପରିବେଷ୍ଟିତ ସୁଉଚ୍ଚ ପର୍ବତ ଶିଖରରୁ ସପ୍ତକୁଣ୍ଡ ଦେଇ ପ୍ରାୟ ୮୦ ମିଟର ଉଚ୍ଚରୁ ଭୂପୃଷ୍ଠ ଉପରକୁ ଏଠାରେ ଝରିପଡୁଛି ପାହାଡୀ ଝରଣା। ଏହି ଜଳପ୍ରପାତର ପାଦଦେଶରେ ଅଧିଷ୍ଠିତ ହେଉଛନ୍ତି ଦେବଗଡ଼ର ଅଧିଷ୍ଠାତ୍ରୀ ଦେବୀ ପ୍ରଧାନ ପାଟେଶ୍ବରୀ। ଚାରିପଟେ ଘେରି ରହିଥିବା ବିଶାଳ ଶାଳବଣ ଓ ପାହାଡ଼ ସହିତ ନାନା କିସମର ପଶୁପକ୍ଷୀଙ୍କ ଶବ୍ଦ ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ନିଦାଘ ଗ୍ରୀଷ୍ମ କାଳରେ ପ୍ରଧାନପାଟ ଜଳପ୍ରପାତ ନିକଟରେ ଶୀତଳ ପରିବେଶ ଅନୁଭୂତ ହୋଇଥାଏ। ପୂର୍ବକାଳରେ ରାଜା ଏହାକୁ ଗ୍ରୀଷ୍ମ ନିବାସ ଭାବରେ ବ୍ୟବହାର କରୁଥିଲେ।
ପ୍ରଧାନପାଟର ପାଦଦେଶରେ ରାଜା ରାଜୁଡା ଅମଳରୁ ଦୁଇଟି ପ୍ରାଚୀନ ସୌଧ 'ବସନ୍ତ ନିବାସ 'ଓ 'ଲଳିତ ବସନ୍ତ' ନିର୍ମିତ। ପ୍ରାଚୀନ କାରୁକଳାରେ ସଜ୍ଜିତ ଏହି ଦୁଇଟି ଶୈଳ ନିବାସକୁ ୧୯୦୩ ମସିହାରେ ନିର୍ମାଣ କରିଥିଲେ ତତ୍କାଳୀନ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ। ଏଠାରେ ଦେଶ ବିଦେଶରୁ ଆସୁଥିବା ରାଜକବି ଓ ଭାବୁକଙ୍କ ସମାଗମ ହେଉଥିଲା। ଏହା ସହ ଏଠାରେ ରହିଛି ପୌର ଶିଶୁ ଉଦ୍ୟାନ। ଏଠାରେ ଶିଶୁଙ୍କ ମନୋରଞ୍ଜନ କରିବା ପାଇଁ ରହିଛି ଅନେକ କ୍ରୀଡା ଉପକରଣ । ଏହି ପୌର ଉଦ୍ୟାନ ପରିଷରରେ ରହିଛି ରାଜା ରାଜୁଡା ଅମଳରୁ ନିର୍ମିତ ଚମ୍ପକେଶ୍ବର ଶିବ ମନ୍ଦିର ଓ ଗିରିଗୋବର୍ଦ୍ଧନ ମନ୍ଦିର । କର୍ମମୟ ଜୀବନର କ୍ଲାନ୍ତ ଉପଶମ ପାଇଁ କିଛି ସମୟ ପ୍ରକୃତିର କୋଳରେ ନିଜକୁ ହଜାଇ ଦେବାର ପର୍ଯ୍ୟାପ୍ତ ଅବସର ରହିଛି ପ୍ରଧାନପାଟ କୋଳରେ।