ଦେବଗଡ଼: ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଯୋଗୁଁ ଦୁଇହାତ ହରାଇ ଦିବ୍ୟାଙ୍ଗ ଭାବରେ ଜୀବନ ବିତାଉଛି ଜଣେ 8 ବର୍ଷର ନାବାଳକ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । କୃତ୍ରିମ ଅଙ୍ଗରୋପଣ କରାଇ ପିଲାଟିର ଭବିଷ୍ୟତ ଗଢ଼ିବା କଥା ମାଆବାପା ଚିନ୍ତା କରୁଥିବା ଏଥିରେ ଅର୍ଥ ସାଜିଛି ବାଧକ । ଏବେ ସରକାରୀ ସହାୟତା ପାଇବା ଆଶାରେ ଚାତକ ଭଳି ଚାହିଁ ରହିଛନ୍ତି ଦିବ୍ୟାଙ୍ଗ ନାବାଳକଙ୍କ ପରିବାର(Specially abled son of Jilu Majhi) ।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବରଡ଼ାନାଳି ଗ୍ରାମ ବାସିନ୍ଦା ହେଉଛନ୍ତି ଜିଲୁ ମାଝୀ ଓ ତାଙ୍କ ପତ୍ନୀ ରୀତା ମାଝି । ମୁନା ମାଝି ଏମାନଙ୍କ ଏକ ମାତ୍ର ପୁଅ । ଚାଷବାସ କରି ଯାହା ରୋଜଗାର ହୁଏ ସେଥିରେ ପୂରା ପରିବାର ଚଳି ଯାଆନ୍ତି । ତେବେ ଗତ ଜୁଲାଇ 1 ତାରିଖରେ ପରିବାର ଉପରେ ଯେଭଳି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା । ଏକମାତ୍ର ପୁଅ ପଡ଼ିଶା ଘର ଛାତ ଉପରେ ଖେଳୁଥିବାବେଳେ ,ସେଠାରେ ଓହଳିଥିବା 11 କେଭି ବିଦ୍ୟୁତ୍ ତାର ଧରି ପକାଇଥିଲା । ବିଦ୍ୟୁତ୍ ଆଘାତରେ ନାବାଳକର ଦୁଇଟି ହାତ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ପରିବାର । ନାବାଳକର ଦୁଇ ହାତ ପୋଡ଼ି ଯାଇଥିବା ଦେଖି ଡାକ୍ତର ଦୁଇହାତ କାଟିବାକୁ ବାଧ୍ୟ ହୋଇଥିଲେ ।