ଦେବଗଡ: ଧୂଳିଧୂଆଁରେ ଅତିଷ୍ଠ ହୋଇଗଲେଣି ଲୋକେ । ଘରୁ ବାହାରିବା ତ ଦୂର କଥା ଘରେ ରହିବା ମଧ୍ୟ କଷ୍ଟକର । ଦୀର୍ଘ ଦୁଇବର୍ଷ ହେଲା ଦିନରାତି ଧୂଳି ସଂସ୍ପର୍ଶରେ ଆସି ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାର ବେପରୁଆ କାର୍ଯ୍ୟ ସାଙ୍ଗକୁ ସମ୍ପୃକ୍ତ ଠିକାସଂସ୍ଥା ପ୍ରତି ସ୍ଥାନୀୟ ପ୍ରଶାସନର ରହିଥିବା ଉଦାର ମନୋଭାବ ଯୋଗୁଁ ଲୋକେ ପ୍ରଦୂଷଣ ଜନିତ ସମସ୍ୟା ଭୋଗୁଛନ୍ତି ।
ଦେବଗଡ ଜିଲ୍ଲା ମଧ୍ୟଦେଇ ଅତିକ୍ରମ କରିଥିବା ମୁମ୍ବାଇ କଲିକତା 49 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଫଳରେ ଦେବଗଡ଼ ସହର ଠାରୁ ତିଳେଇବଣି ପର୍ଯ୍ୟନ୍ତ ପ୍ରାୟ 15 କିଲୋମିଟର ପର୍ଯ୍ୟନ୍ତ ରାସ୍ତା କଡରେ ବସବାସ କରୁଥିବା ପୁରୁଣାଗଡ,କୁରଡ଼, ଟାଇସର , ବୁକାବେଡା , ନୂଆଭୁଇଁ , କୁରେଇବାହାଲ, କୈଳାଶ ଆଦି ଗ୍ରାମର ଲୋକେ ଦୀର୍ଘ ଦୁଇବର୍ଷ ହେଲା ଅସହ୍ୟ ଧୂଳି ପ୍ରଦୂଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏହି ରାଜପଥ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ରାସ୍ତା ନିର୍ମାଣକାରୀ ଠିକାସଂସ୍ଥା ଏହି ରାସ୍ତାର ମରାମତି ଦିଗରେ ଆଦୌ ଦୃଷ୍ଟି ଦେଉନାହିଁ । ଫଳରେ ରାସ୍ତା ଅବସ୍ଥା ଦିନକୁଦିନ ଅତ୍ୟନ୍ତ ଶୋଚନୀୟ ଓ ବିପଦ ସଂକୁଳ ହୋଇ ପଡିଥିବା ଅଭିଯୋଗ ହୋଇଛି ।