ଦେବଗଡ଼: ଜିଲ୍ଲାରେ ଫେଲ ମାରିଛି ସ୍ବଚ୍ଛ ଭାରତ ମିଶନ । ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ 9 ନମ୍ବର ୱାର୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ପରିମଳ ବ୍ୟବସ୍ଥା । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅଞ୍ଚଳବାସୀ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି । ପୌର ପରିଷଦ ନିର୍ବାଚନ ପାଖେଇ ଆସୁଥିବାବେଳେ ପରିଷଦ ପକ୍ଷରୁ ୱାର୍ଡର ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି ।
ସମସ୍ୟା ବହୁଳ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ 9 ନମ୍ବର ୱାର୍ଡ । ଏହି ୱାର୍ଡରେ ପ୍ରାୟ 1600 ରୁ ଅଧିକ ଭୋଟର ବସବାସ କରୁଥିବା ବେଳେ ୱାର୍ଡର ବିଭିନ୍ନ ସମସ୍ୟା ପ୍ରତି ପୌର ପରିଷଦ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏହି ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ସହରର ଆବର୍ଜନା ପାଣି ନିଷ୍କାସନ ହୋଇନପାରି ଲୋକଙ୍କ ଘରେ ପଶୁଛି । ବିଭିନ୍ନ ରାସ୍ତା କଡରେ ବର୍ଷ ବର୍ଷ ଧରି ଆବର୍ଜନା ଜମା ହୋଇ ଜନବସତିକୁ ପ୍ରଦୂଷିତ କରୁଛି । ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ ମାଧ୍ୟମରେ ଏହି ୱାର୍ଡରେ ଦୁଇଗୋଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । ମାତ୍ର କ୍ଷୋଭର ବିଷୟ ଯେ, ଆଜକୁ ଦୀର୍ଘ ବର୍ଷ ହେବ ଉକ୍ତ ଦୁଇଟି ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ଅଧିକାଂଶ ୱାର୍ଡବାସୀ ଶୌଚ ପାଇଁ ଖୋଲା ପଡିଆ ଉପରେ ନିର୍ଭର କରୁଛନ୍ତି।