ଦେବଗଡ଼:ଇଣ୍ଟରନେଟ ନଥିବାରୁ ଠପ୍ ହୋଇପଡିଛି ବ୍ୟାଙ୍କ ସେବା । ପ୍ରତିଦିନ ଶହଶହ ସଂଖ୍ୟାରେ ଜମାକାରୀ ବ୍ୟାଙ୍କକୁ ଆସି ସେବା ନପାଇ ନିରାଶ ହୋଇ ଫେରୁଛନ୍ତି । ଦୀର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କିନ୍ତୁ ଏହାର ସ୍ଥାୟୀ ସମାଧାନ ଦିଗରେ ତିଳେ ହେଲେ ବି ଆନ୍ତରିକତା ଦେଖାଉନାହାନ୍ତି । ଯାହାକୁ ନେଇ ଜମାକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଭଳି ସମସ୍ୟା ସାମ୍ନାକୁ ଆସିଛି ଦେବଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ।
ଦେବଗଡ଼ ଜିଲ୍ଲାର ଲଇମୁରା ଓ ଡିମିରିକୁଦା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରହିଛି ଦୁଇଟି ବ୍ୟାଙ୍କ । ଲଇମୁରା ଠାରେ ୟୁନିୟନ ବ୍ୟାଙ୍କର ଗୋଟିଏ ଶାଖା ସ୍ଥାପିତ ହୋଇଥିବା ବେଳେ ଡିମିରିକୁଦା ଠାରେ କାନାଡ଼ା ବ୍ୟାଙ୍କର ଗୋଟିଏ ଶାଖା ରହିଛି । ଉପାନ୍ତ ଅଞ୍ଚଳ ତିଳେଇବଣି ବ୍ଲକର ଲଇମୁରା, ପାରପୋଷି, ଝରାଗୋଗୁଆ, ଡିମିରିକୁଦା, ଗଣ୍ଡମ ଓ ଝାରମୁଣ୍ଡା ଆଦି ୬ ଗୋଟି ପଞ୍ଚାୟତରେ ବସବାସ କରୁଥିବା ଲୋକଙ୍କୁ ବ୍ୟାଙ୍କସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ଦୁଇଟି ବ୍ୟାଙ୍କ ଖୋଲାଯାଇଛି । ଏହା ଉପରେ ଆଦିବାସୀ ଅଧ୍ୟୁଷିତ ଏହି ୬ଟି ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ବ ଲୋକେ ନିର୍ଭର କରିଥାନ୍ତି । ଗରିବ ଆଦିବାସୀ ତଥା ଖଟିଖିଆ ଶ୍ରେଣୀର ଲୋକେ ଭବିଷ୍ୟତ ପାଇଁ ନିଜ କଷ୍ଟ ଉପାର୍ଜିତ ଟଙ୍କା ଏଠାରେ ସଞ୍ଚୟ କରିଥାନ୍ତି । ଅନ୍ୟପକ୍ଷରେ ଗରିବ ଲୋକଙ୍କୁ ବିଭିନ୍ନ ସରକାରୀ ସହାୟତା ଏବଂ ଶ୍ରମିକ ପ୍ରାପ୍ୟ ମଧ୍ୟ ଏହି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ ।
ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା, ଆଜକୁ ଦୀର୍ଘ ଦିନ ହେବ ଏହି ଦୁଇଟି ବ୍ୟାଙ୍କରେ ଦେଖାଦେଇଛି ଅଚଳାବସ୍ଥା । ଇଣ୍ଟରନେଟ୍ ଉପଲବ୍ଧ ରହୁ ନଥିବାରୁ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଦୁରଦୁରାନ୍ତ ଅଞ୍ଚଳରୁ ବ୍ୟାଙ୍କକୁ ନିୟମିତ ଆସୁଥିବା ଶହ ଶହ ସଂଖ୍ୟାରେ ଜମାକାରୀମାନେ ସେମାନଙ୍କ ଅର୍ଥ ଉଠାଇ ପାରୁନାହାନ୍ତି କିମ୍ବା ଜମା କରି ପାରୁନାହାନ୍ତି । ରୋଗବ୍ୟାଧି ହେଲେ ଚିକିତ୍ସା ପାଇଁ ଟଙ୍କା ଉଠାଇ ନପାରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସମସ୍ତ ସରକାରୀ ସହାୟତା ରାଶି ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ହେଉଥିବାରୁ ବହୁସଂଖ୍ୟାରେ ଲୋକେ ବାଧ୍ୟ ହୋଇ ଏଠାରେ ଜମାଖାତା ଖୋଲିଛନ୍ତି । ହେଲେ ଏହି ବ୍ୟାଙ୍କ୍ ଦୁଇଟି ଗ୍ରାହକଙ୍କୁ ସେବା ଯୋଗାଇବାରେ ଅସମର୍ଥ ହୋଇଛି ।
ଏହାମଧ୍ୟ ପଢନ୍ତୁ: ବଦଳି ପାରୁନି ଟ୍ରାନ୍ସଫର୍ମର, ୩ ମାସ ହେଲାଣି ଅନ୍ଧାରରେ ଗ୍ରାମବାସୀ