ଓଡିଶା

odisha

ETV Bharat / state

ଶୁଣିଲାନି ପ୍ରଶାସନ: ଯୌତୁକ ନାଳ ଉପରେ କାଠ ପୋଲ କଲେ ଗାଁ ଲୋକ

ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ 15 ବର୍ଷ ଧରି ଦାବି ପରେ ବି ଶୁଣିଲାନି ପ୍ରଶାସନ । ନିଜ ଉଦ୍ୟମରେ ନାଳ ଉପରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ । ବରଗଡ ଜିଲ୍ଲା ରତବ ଗାଁର ଘଟଣା । ଅଧିକ ପଢନ୍ତୁ...

By

Published : Jul 31, 2021, 8:09 AM IST

ଶୁଣିଲାନି ପ୍ରଶାସନ, ନିଜସ୍ବ ଉଦ୍ୟମରେ କାଠ ପୋଲ ଗଢିଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, ନିଜସ୍ବ ଉଦ୍ୟମରେ କାଠ ପୋଲ ଗଢିଲେ ଗ୍ରାମବାସୀ

ଦେବଗଡ: ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ 15 ବର୍ଷ ଧରି ଦାବି କରିଥିଲେ ଗ୍ରାମବାସୀ । ହେଲେ ଶୁଣିଲାନି ପ୍ରଶାସନ । ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ସେମାନେ ନାଳ ଉପରେ କାଠ ପୋଲଟିଏ ନିର୍ମାଣ କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ ରତବ ଗ୍ରାମରେ ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଗୁରୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ରତବ ଗାଁରେ ବସବାସ କରନ୍ତି 60 ଟି ପରିବାର । ଏହି ଗାଁକୁ ଯାତାୟତରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଯୌତୁକ ନାଳ । ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି ଚିରସ୍ରୋତା ଯୌତୁକ ନାଳ । ବିଶେଷକରି ବର୍ଷା ଦିନରେ ଏହି ନାଳରେ ପ୍ରବଳ ବନ୍ୟା ଆସିବା ଫଳରେ ରତବ ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ । ଗ୍ରାମବାସୀ ଗାଁରୁ ବାହାରକୁ ବାହାରି ପାରନ୍ତି ନାହିଁ କିମ୍ବା କେହି ଗାଁ ଭିତରକୁ ଆସିପାରନ୍ତି ନାହିଁ । ବର୍ଷା ଚାରି ମାସ କାଳ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥାଏ ।

ଶୁଣିଲାନି ପ୍ରଶାସନ, ନିଜସ୍ବ ଉଦ୍ୟମରେ କାଠ ପୋଲ ଗଢିଲେ ଗ୍ରାମବାସୀ

ଏହି ଯୌତୁକ ନାଳ ଉପରେ ପୋଲଟିଏ ନିର୍ମାଣ କରି ଯାତାୟତ ବ୍ୟବସ୍ଥାକୁ ସୁଗମ କରାଯିବାକୁ ଗ୍ରାମବାସୀ ଆଜକୁ ଦୀର୍ଘ 15 ବର୍ଷ ହେଲା ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ଆସୁଛନ୍ତି । ମାତ୍ର ପରିତାପର ବିଷୟ ଯେ, ଆଜକୁ ଦୀର୍ଘ 15 ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ନାଳ ଉପରେ ପୋଲଟିଏ ନିର୍ମାଣ କରିବା ଦିଗରେ ପ୍ରଶାସନ କିମ୍ବା ଲୋକ ପ୍ରତିନିଧିଙ୍କ ତିଳେ ହେଲେ ବି ତତ୍ପରତା ପ୍ରକାଶ ପାଇନାହିଁ ।

ପ୍ରତ୍ୟେକ ସ୍ତରରୁ ନିରାଶ ହେବା ପରେ ଶେଷରେ ରତବ ଗ୍ରାମବାସୀ ଗତକାଲି ଯୌତୁକ ନାଳ ଉପରେ କାଠ ପୋଲଟିଏ ନିର୍ମାଣ କରିଛନ୍ତି । ଏହି କାଠ ପୋଲ ଉପରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ପାଣି ଛଡାଇ ନାଳ ପାର ହୋଇ ଲୋକେ ଗାଁକୁ ଯାତାୟତ କରୁଥିବା ଦେଖାଯାଉଛି । ଯାହାକି ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ପ୍ରଶାସନିକ କଳର ଦାୟିତ୍ବହୀନତା ଓ ଲୋକ ପ୍ରତିନିଧିଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details