ଦେବଗଡ: ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ । ମୋବାଇଲ ଟାୱାର ପାଇଁ ଦଶନ୍ଧୀ ଦଶନ୍ଧୀ ଧରି ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି ଆପତ୍ତି କରି କରି ବିଫଳ ହେବାପରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(Panchayat Election) ବର୍ଜନ କରିଛନ୍ତି ଦେବଗଡ ଜିଲ୍ଲା(Deogarh District) ତିଳେଇବଣି ବ୍ଲକ ପାଞ୍ଚଟି ପଞ୍ଚାୟତର ପ୍ରାୟ 20 ହଜାରରୁ ଅଧିକ ଲୋକ ।
ଘଟଣା ଅନୁସାରେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକର ଝରାଗୋଗୁଆ , ପାରପୋଷି , ଗଣ୍ଡମ , ଡିମିରିକୁଦା ଓ ଝାରମୁଣ୍ଡା ଆଦି ପାଞ୍ଚଟି ପଞ୍ଚାୟତରେ ପ୍ରାୟ 20 ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରୁଛନ୍ତି । ଏହି ଉପାନ୍ତ ଅଞ୍ଚଳରେ ଏପର୍ଯ୍ୟନ୍ତ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । ଅଞ୍ଚଳବାସୀ ମୋବାଇଲ ସେବା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମୋବାଇଲ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢି ପାରୁନଥିବା ବେଳେ , ଜନସାଧାରଣ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାସହ ଜରୁରୀ ସମୟରେ ଯୋଗଯୋଗ ମଧ୍ୟ କରିବା ଏହି ଅଞ୍ଚଳର ଲୋକଙ୍କ ପାଇଁ ସମ୍ଭବ ହୋଇପାରୁ ନାହିଁ । ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ ଓ ଇଣ୍ଟରନେଟ ଯୁଗ ଯେମିତି ଏହି ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ଉପହାସ ପାଲଟିଛି । ନାମଙ୍କୁ ମାତ୍ର ଏହି ଅଞ୍ଚଳରେ ରହିଛି କେତୋଟି ମୋବାଇଲ ଟାୱାର । ହେଲେ ତାହା ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ଅଚଳ । ଏହାସହ କିଛି ପଞ୍ଚାୟତରେ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଟାୱାର ସ୍ଥାପନ ପାଇଁ କେଉଁଠି ମାଟି ଖୋଳା ହୋଇଛି ତ କେଉଁଠି ଖୁଣ୍ଟି ଅଧା ନିର୍ମାଣରେ ପଡିଛି । ଉକ୍ତ ପାଞ୍ଚଟି ପଞ୍ଚାୟତରେ ମୋବାଇଲ ଟାୱାର ନିର୍ମାଣ କରି ଲୋକଙ୍କୁ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଆଜିକୁ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ବିଧାୟକ ସାଂସଦଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ହେଳେ ଫଳ ଶୂନ । ଏହି ଅଞ୍ଚଳବାସୀଙ୍କ ସ୍ବର କାହାକୁ ଭେଦୁ ନାହିଁ ।