ଦେବଗଡ: ଯାତାୟତର ମାଧ୍ୟମ ପାଲଟିଛି କାଠ ପୋଲ । ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ 4 ବର୍ଷ ଧରି କାଠ ପୋଲକୁ ସାହାରା କରି ଯାତାୟତ କରୁଛନ୍ତି ଗାଁଲୋକେ । ପୋଲ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ ଗାଁଲୋକଙ୍କ ଅଭିଯୋଗ ସରକାରୀ ବାବୁଙ୍କ କାନରେ ପଡୁନଥିବା ଅଭିଯୋଗ ହୋଇଛି । ବିକାଶର ଅସଲ ଚିତ୍ର ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାରେ ।
ଦୁର୍ଗମ ତଥା ଅପହଞ୍ଚ ଗ୍ରାମର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ବାର୍ଷିକ କୋଟିକୋଟି ଟଙ୍କା ବ୍ୟୟ ହେଉଛି । ଜିଲ୍ଲାର ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଦେସୀଙ୍କୁଳି ଗାଁ ମୁଖ୍ୟରାସ୍ତାରେ ନାଳର ପୋଲ ଦୀର୍ଘ ଚାରି ବର୍ଷ ହେବ ବର୍ଷାରେ ଧୋଇ ଯାଇ ଭୁଶୁଡି ପଡିଛି । ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଅଭିଯୋଗ କରିଛନ୍ତି ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି, ‘‘ଚାରି ବର୍ଷ ତଳେ ପୋଲଟି ଭାଙ୍ଗି ପଡିଛି । ସାଧାରଣତଃ ବର୍ଷା ଋତୁରେ ଏହି ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡୁଛି । ଲୋକେ ଏକପ୍ରକାର ଜଳବନ୍ଦୀ ହୋଇ ରହୁଛନ୍ତି । ନାଳ ଉପରେ ପୋଲଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ସ୍ଥାନୀୟ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଦାବି କରିଛନ୍ତି । ହେଲେ କେହି କର୍ଣ୍ଣପାତ କରୁ ନାହାନ୍ତି । ଯାହା ଫଳରେ ବତ୍ତର୍ମାନ ବର୍ଷା ଦିନ ଥିବା ହେତୁ ନାଳ ବଢିରେ ବଢି ପାଣି ଆସିଥିବାରୁ ଲୋକମାନଙ୍କ ଯାତାୟତରେ ନାହିଁନଥିବା ସମସ୍ୟା ଦେଖାଦେଇଛି ।’’