ଦେବଗଡ: ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଯାଇଥିଲା ଜଣେ ବୃଦ୍ଧାଙ୍କ ଜୀବନ । ଏହି ଅଭିଯୋଗ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପଞ୍ଜିକୃତ ହେବା ପରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ବିଦ୍ୟୁତ ଆଘାତରେ ବୃଦ୍ଧାଙ୍କ ମୃତ୍ୟୁ ଘଟଣା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଗ୍ରାମରେ ଗତ ଜାନୁଆରୀ ମାସ ୧୯ ତାରିଖ ଦିନ ପାର୍ବତୀ ସାହୁ ନାମ୍ନୀ ଜଣେ ୭୦ ବର୍ଷୀୟା ବୃଦ୍ଧା ତାଙ୍କ ଘର ପାଖରେ ଥିବା ଏକ ବିଦ୍ୟୁତ ପୋଲ ନିକଟରେ ଘାସ ସଫା କରୁଥିବାବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଛତାବର ମେଡିକାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଥିବାରୁ ଏଥିପାଇଁ ଶକ୍ତି ବିଭାଗକୁ ଦାୟୀ କରି ଉପଯୁକ୍ତ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ । ଏନେଇ ମୃତକଙ୍କ ପରିବାର ଲୋକେ ରିଆମାଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଆପ୍ ସରକାର ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି: ଧର୍ମେନ୍ଦ୍ର ପ୍ରଦାନ
ଅପରପକ୍ଷରେ ଜାନୁଆରୀ ୨୦ ତାରିଖ ଦିନ ଏନେଇ ଜାତୀୟ ମାନବ ଅଧିକାର ଆୟୋଗ କମିଶନଙ୍କ ନିକଟରେ ମଧ୍ୟ ଏକ ମାମଲା ପଞ୍ଜିକୃତ ହୋଇଥିଲା । ରିଆମାଳ ଥାନାରେ ଦିଆଯାଇଥିବା ଏତଲା ବର୍ତ୍ତମାନ ସୁଦ୍ଧା ବିଚାରଧୀନ ଥିବାବେଳେ, ଜାତୀୟ ମାନବ ଅଧିକାର ଆୟୋଗ କମିଶନ ଏହି ଘଟଣାକୁ ଗମ୍ଭୀରତାର ସହିତ ବିଚାର କରିଛନ୍ତି । ଏନେଇ କମିଶନ ଗତ ୨୦ ନଭେମ୍ବର ଦିନ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗୀୟ ସଚିବ, ଦେବଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ମେଲ ମାଧ୍ୟମରେ ରିପୋର୍ଟ ମାଗିଛନ୍ତି । ଏହି ଘଟଣାରେ ଦାୟୀ ଥିବା ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ଓ ମୃତକଙ୍କ ପରିବାରକୁ କଣ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ? ସେ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ କମିଶନଙ୍କ ନିକଟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ବିଦ୍ୟୁତ ଆଘାତରେ କୌଣସି ଦୁର୍ଘଟଣା ଘଟିଲେ ତୁରନ୍ତ ପୀଡିତଙ୍କ ଚିକିତ୍ସା କରାଇବା ଓ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ବିଦ୍ୟୁତ ବିଭାଗକୁ ପରାମର୍ଶ ଦେଇଛନ୍ତି । ତେବେ ଘଟଣାକୁ ୧୦ ମାସ ବିତିବାକୁ ବସିଥିବାବେଳେ ମୃତ ମହିଳାଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ମିଳିପାରିନାହିଁ । ଏନେଇ ରାଜ୍ୟ ଶକ୍ତି ବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଦେବଗଡ