ଦେବଗଡ:କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ରାସ୍ତା । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା କାରଣରୁ ଅଦିନିଆ ବର୍ଷାରେ ନବନିର୍ମିତ ରାସ୍ତା ଅବସ୍ଥା ଏବେ ବେହାଲ । ଦେବଗଡ଼ ଜିଲ୍ଲାର ଖଣ୍ଡାଧୂଆଁ ଠାରୁ ହରିହରପୁର ଗାଁକୁ ଯାଇଥିବା ରାସ୍ତାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତର ହରିହରପୁର ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ଦାବି ପରେ ସରକାର ରାସ୍ତା ନିର୍ମାଣ କରିଥିଲେ । ଖଣ୍ଡାଧୂଆଁ ଗାଁ ଠାରୁ ହରିହରପୁର ଗାଁକୁ 5 କିଲୋମିଟର ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ 2 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜକୁ ଦୁଇ ମାସ ପୂର୍ବରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇସାରିଛି । ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ଯେ ଏହି ରାସ୍ତା ନିର୍ମାଣ ହେବା ପରେ ଏହାର ଅବସ୍ଥା ବେହାଲ ହୋଇପଡିଛି । ଗତ କିଛିଦିନ ପୂର୍ବରୁ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ହରିହରପୁର ଗାଁ ପୋଖରୀ ପାଣି ମାଡ଼ି ଆସି ନବନିର୍ମିତ ରାସ୍ତାରେ ପ୍ରାୟ 40 ଫୁଟ ପର୍ଯ୍ୟନ୍ତ ଘାଇ ସୃଷ୍ଟି କରିଛି ।