ଦେବଗଡ: ଠିକା କର୍ମଚାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ ଦେବା ଘଟଣା । ଚାକିରି ବୈଧତା ନ ଥିବା ଜଣେ ଠିକା କର୍ମଚାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଦେବା ପରେ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଠିକା କର୍ମଚାରୀଙ୍କ ଦାୟିତ୍ୱରୁ ହଟାଇ ଜଣେ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ନୂତନ ଭାବେ ଦାୟିତ୍ୱ ଦେଇଛନ୍ତି ଦେବଗଡ଼ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ ।
ସୂଚନା ମୁତାବକ, ଦେବଗଡ଼ ପୌର କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଅପସାରଣ କରାଯାଇଥିଲା । ଏହା ପରେ ଜିଲ୍ଲାପାଳ ଏହି ପଦବୀରେ ପୌର କାର୍ଯ୍ୟାଳୟର ଜଣେ ଠିକା କର୍ମଚାରୀ ସରସ୍ୱତୀ ମହାନନ୍ଦଙ୍କୁ ନିର୍ବାହୀ ଅଧିକାରୀ ଭାବେ ଚଳିତ ମାସ ୧୫ ତାରିଖ ଦିନ ଦାୟିତ୍ୱ ପ୍ରଦାନ କରିଥିଲେ । ଗତ ୨୦୧୩ ଫେବୃଆରୀ ୪ ତାରିଖରେ ବିଆରଜିଏଫ ଯୋଜନା ପାଇଁ ତାଙ୍କୁ ଅସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଯୋଜନାର ଅବଧି ସମାପ୍ତ ପରେ ତାଙ୍କୁ ନିଯୁକ୍ତି ବୈଧତା ବାତିଲ ହୋଇଯିବ ବୋଲି ନିଯୁକ୍ତି ପତ୍ରରେ ସ୍ପଷ୍ଟ ଉଲ୍ଲେଖ ଥିଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି ଯୋଜନା ଆଜକୁ ଦୀର୍ଘବର୍ଷ ହେଲା ସମାପ୍ତ ହୋଇ ସାରିଥିଲେ ସୁଦ୍ଧା, ଏହି କର୍ମଚାରୀଙ୍କ ନିଯୁକ୍ତି ଏଯାଏ ବାତିଲ କରାଯାଇନାହିଁ । ସରକାରୀ ନିୟମ ଉଲ୍ଲଘଂନ କରି ବେଆଇନ ଭାବେ ପୂର୍ବଭଳି ପୌର କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଦାୟିତ୍ବ ତୁଲାଇ ଆସୁଥିଲେ ।