ଦେବଗଡ: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ଆଦି ୫ଟି ପଞ୍ଚାୟତବାସୀ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ । ଫଳରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିପାରି ନଥିଲେ । ତେବେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ରାଜ୍ୟ ସରକାର ଏହି ଜନ ଆନ୍ଦୋଳନକୁ ରୋକିବାକୁ ଯାଇ ତୁରନ୍ତ ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା କରି ଝରାଗୋଗୁଆ ଗ୍ରାମରେ ଏକ ମୋବାଇଲ ଟାୱାର ନିର୍ମାଣ କରିଥିଲେ । ଫଳରେ ଉକ୍ତ ୫ ପଞ୍ଚାୟତରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ସହିତ ଅଞ୍ଚଳବାସୀ ମଧ୍ୟ ନିର୍ବାଚନରେ ସାମିଲ ହୋଇଥିଲେ ।
ତେବେ ଇତିମଧ୍ୟରେ ଝରାଗୋଗୁଆ ଠାରେ ଟାୱାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଟାୱାର କାର୍ଯ୍ୟକ୍ଷମ ହୋଇପାରି ନାହିଁ । ସେହିପରି ଡ଼ିମିରିକୁଡ଼ା, ପାରପୋଷି ଠାରେ ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଣିଥରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗତ ୧୪ ତାରିଖ ଦିନ ଝରାଗୋଗୁଆ ଗ୍ରାମର ବଜାର ପ୍ରାଙ୍ଗଣରେ ନିକଟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାସହିତ ଗତ ୧୭ ତାରିଖ ଦିନ ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।