ଦେବଗଡ:କାର୍ଯ୍ୟକାରୀ ହେଉନି ଦେବଗଡ଼ ପୌର ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବ । ଫଳରେ ପୌରାଞ୍ଚଳରେ ଉନ୍ନୟମ କାର୍ଯ୍ୟ ସବୁ ଠପ ହୋଇଛି । ପୌରବାସୀଙ୍କୁ ମୌଳିକ ସେବା ଯୋଗାଇଦେବା କ୍ଷେତ୍ରରେ ପୌର କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା କାରଣରୁ ପୌରବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏକଥାକୁ ଗଣମାଧ୍ୟମ ଆଗରେ ସ୍ୱୀକାର କରିବା ସହ ଏନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ।
ମୋଟ 11ଟି ୱାର୍ଡକୁ ନେଇ ଗଠିତ ଦେବଗଡ଼ ପୋୖର ପରିଷଦ । ଏହି ପୌର ପରିଷଦଟି ବର୍ତ୍ତମାନ ବିଜେଡି ଶାସନାଧୀନ ରହିଛି । ଏଥିରେ ପୌର ଅଧ୍ୟକ୍ଷା ବିଜେଡିରୁ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ସହିତ 3 ଜଣ କାଉସିଲର ବିଜେଡିରୁ ନିର୍ବାଚିତ ହୋଇଛନ୍ତି । ସେହିପରି 6 ଜଣ କାଉନସିଲର ବିଜେପି ଦଳରୁ ନିର୍ବାଚିତ ହୋଇଥିବା ବେଳେ ଜଣେ ସ୍ୱାଧୀନ କାଉସିଲର ନିର୍ବାଚିତ ହୋଇଛନ୍ତି । ମାତ୍ର ପରିତାପର ବିଷୟ ଯେ, ଆଜକୁ ଦୀର୍ଘ 14 ମାସ ହେଲା ନୂଆ କାଉନସିଲ ଗଠନ ହୋଇଥିଲେ ସୁଦ୍ଧା ପୌରାଞ୍ଚଳରେ ସେମିତି କୌଣସି ଆଖିଦୃଶିଆ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନାହିଁ । ରାସ୍ତାଘାଟଠାରୁ ଆରମ୍ଭ କରି ଡ୍ରେନେଜ୍ ବ୍ୟବସ୍ଥା ସବୁକିଛି ବିପର୍ଯ୍ୟସ୍ତ ହୋଇ ପଡିଛି । ସହରରେ ଡ୍ରେନେଜ୍ ବ୍ୟବସ୍ଥାର ପୁନରୁଦ୍ଧାର ଓ ମରାମତି କରାଯାଉ ନଥିବାରୁ ଅଧିକାଂଶ ଡ୍ରେନ୍ରେ ଆବର୍ଜନା ପାଣି ନିଷ୍କାସନ ହୋଇନପାରି ଜମାହୋଇ ରହୁଛି ଓ ସହର ପରିବେଶ ପ୍ରଦୂଷିତ କରୁଛି । ସାମାନ୍ୟ ବର୍ଷା ହେଲେ ଏହି ନର୍ଦମା ପାଣି ରାସ୍ତାରେ ବୋହିବା ସହ ଲୋକଙ୍କ ଘରେ ପଶୁଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।