ଦେବଗଡ଼: ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଆସୁଛନ୍ତି ବିଦେଶୀ ପକ୍ଷୀ । ପକ୍ଷୀଙ୍କ ଆଗମନ ପରେ ଚାଷକାର୍ଯ୍ୟ ଆରମ୍ଭ କରିବା ପାଇଁ ଚାଷୀକୁଳ ସଜବାଜ ହେଉଛନ୍ତି । ଜଳବାୟୁ ପରିବର୍ତ୍ତନ ତଥା ମୌସୁମୀ ବର୍ଷା ଆଗମନର ପୂର୍ବ ସଂକେତ ଦେଇ ଆସୁଛି ଏହି ବିରଳ ପ୍ରଜାତିର ବିଦେଶୀ ପକ୍ଷୀ । ସେଥିପାଇଁ ପ୍ରତିବର୍ଷ ପକ୍ଷୀଙ୍କ ଆଗମନକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଗାଁର ଗ୍ରାମବାସୀ ।
ଜିଲ୍ଲାର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗାଁ ଏବେ ବିରଳ ପ୍ରଜାତିର ପକ୍ଷୀଙ୍କ କୋଳାରବରେ ମୁଖରିତ ହୋଇଉଠିଛି । ଗାଁ ମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ଥିବା ଦୁଇଟି ତେନ୍ତୁଳି ଗଛ ଶହଶହ ସଂଖ୍ୟାରେ ବିରଳ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ପାଲଟିଛି । ପକ୍ଷୀଙ୍କ ଆଗମନରେ ପକ୍ଷୀପ୍ରେମୀଙ୍କ ମନରେ ଅପୂର୍ବ ଆନନ୍ଦ ପରିଲକ୍ଷିତ ହୋଇଛି । ଏହି ପକ୍ଷୀ ଗେଣ୍ଡାଳିଆ ପ୍ରଜାତିର ହୋଇଥିବା କୁହାଯାଉଥିବା ବେଳେ ଏହାର ସଠିକ ନାମ ଜଣାପଡିନାହିଁ । ପ୍ରତିବର୍ଷ ଶହଶହ ସଂଖ୍ୟାରେ ପକ୍ଷୀମାନେ ଜୁଲାଇ ମାସରେ ଗାଁକୁ ଆସିବା ଆରମ୍ଭ କରିଥାନ୍ତି । ପକ୍ଷୀଙ୍କ ଆଗମନ ଦେଖିଲେ ଗ୍ରାମବାସୀ ମୌସୁମୀ ବର୍ଷା ଆଗମନର ସଂକେତ ପାଇଥାନ୍ତି । ସମସ୍ତଙ୍କ ମନରେ ଆନନ୍ଦ ଖେଳି ଯାଇଥାଏ । ପକ୍ଷୀଙ୍କ କୋଳାରବରେ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇଥାଏ । ଚାଷୀକୁଳ ପକ୍ଷୀଙ୍କ ଆଗମନ ଦେଖି ଚାଷକାର୍ଯ୍ୟ ପାଇଁ ସଜବାଜ ହୋଇଥାନ୍ତି ।