ଦେବଗଡ଼: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହରି ଲୁଟ୍। ନିମ୍ନ ମାନର ରାସ୍ତା ନିର୍ମାଣ କରି ଯନ୍ତ୍ରୀ ଓ ଠିକାଦାର ଟଙ୍କା ହଡପ କରୁଥିବା ଅଭିଯୋଗ ହୋଉଛି । ଯାହା ରାସ୍ତାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା କପାସିରା ଠାରୁ ପ୍ରଭାସୁଣି ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ।
ଗ୍ରାମାଞ୍ଚଳ ରାସ୍ତାକୁ ସହରାଞ୍ଚଳ ମୁଖ୍ୟ ରାସ୍ତା ସହିତ ସଂଯୋଗ କରି ଯାତାୟତ ବ୍ୟବସ୍ଥା ସୁବିଧା କରିବାକୁ ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କପାସିରା ଠାରୁ ଭାୟା ଗୋଗୁଆ ଦେଇ ପ୍ରଭାସୁଣି ପର୍ଯ୍ୟନ୍ତ ନିର୍ମାଣ ହେଉଛି 12 କିଲୋମିଟର ରାସ୍ତା । ଏହି ରାସ୍ତାରେ ବ୍ୟୟ ହେଉଛି ପ୍ରାୟ 5 କୋଟି ଟଙ୍କା । ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ଗତ 2019 ମସିହା ଠାରୁ ରାସ୍ତା କାମ ଆରମ୍ଭ ହୋଇଛି । ଏହାକୁ ତୁଳସୀ କନଷ୍ଟ୍ରକସନ ନାମକ ଏକ ସ୍ଥାନୀୟ ଠିକାସଂସ୍ଥା ନିର୍ମାଣ କରୁଛି । ମାତ୍ର ନିର୍ମାଣର ପ୍ରକୃତ ସତ୍ୟ କହୁଛି ଏହି ରାସ୍ତା କାମରେ ଲାଗିଥିବା ନିମ୍ନମାନର ମେଟାଲ ଓ ପିଚୁ । ନବ ନିର୍ମିତ ରାସ୍ତାର ଅବସ୍ଥା ଶୋଚନୀୟତା ଦେଖି ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।