ଦେବଗଡ: କୋରୋନା ସଂକ୍ରମଣ ନେଇ ସରକାର ଜାରି କରିଛନ୍ତି ଲକଡାଉନ । ଏହି ଯୋଗୁଁ ନିଜର କୁଳ ବେଉସା ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କାଡୋପଡା ଗାଁର 25ଟି କମାର ପରିବାର ।
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମଲେହିପଡା ପଞ୍ଚାୟତର କାଡୋପଡା ଗାଁରେ ବସବାସ କରନ୍ତି 25ଟି କମାର ପରିବାର । ଚାଷକାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଲୌହ ଉପକରଣ ଯେପରି କୋଦାଳ, ଗଇଁତି, ଶାବଳ, ଟାଙ୍ଗିଆ, ବଟାଳି, ନିଆଁଣ, ବାରିସୀ ଆଦି ଉପକରଣ ତିଆରି କରି ସେସବୁ ବଜାରରେ ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି ଏହି କମାର ପରିବାର ।
ମାତ୍ର ସାରାବିଶ୍ବରେ ଦେଖାଦେଇଥିବା କୋରନା ସଂକ୍ରମଣ ନେଇ ସରକାର ଦେଶରେ ଲକଡାଉନ ଘୋଷଣା କରିଥିବାରୁ ଏଥିରେ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛନ୍ତି କାଡୋପଡା ଗାଁର କମାର ପରିବାର । ଲକଡାଉନ କଟକଣା ଯୋଗୁଁ ଘରୁ ବାହାରିବା ସମ୍ଭବ ହେଉନଥିବାରୁ କିମ୍ବା ଉପକରଣ କିଣିବା ପାଇଁ ଗ୍ରାହକ ମିଳୁନଥିବାରୁ ନିଜ ତିଆରି କରିଥିବା ଲୌହ ଉପକରଣ ବିକ୍ରିକରିପାରୁ ନାହାନ୍ତି ସେମାନେ ।