ଓଡିଶା

odisha

ETV Bharat / state

ରାସ୍ତା ନିର୍ମାଣ ନାଁରେ ହରିଲୁଟ, 11 ବର୍ଷ ବିତିଲା ସରିପାରିଲାନି 8 କିମି ରାସ୍ତା - ଦେଓଗଡର ମାଙ୍କରମୁଣ୍ଡାର ଘାଟି ରାସ୍ତା

କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ସରିଲାଣି ହେଲେ ଦୀର୍ଘ 11 ବର୍ଷ ହେଲା ସରୁନି ମାତ୍ର 8 କିଲୋମିଟର ରାସ୍ତା । ଦେଓଗଡର ବାରକୋଟ ବ୍ଲକ ଅଞ୍ଚଳର ମାଙ୍କରମୁଣ୍ଡାର ଘାଟି ରାସ୍ତା ନିର୍ମାଣର ବ୍ୟାପକ ଅନିୟମିତତା ଅଭିଯୋଗ । ଦେଖନ୍ତୁ ଏହି ରିପୋର୍ଟ ।

ରାସ୍ତା ନିର୍ମାଣ ନାଁରେ ହରିଲୁଟ,  ଦୀର୍ଘ 11 ବର୍ଷ ହେଲା ସରୁନି ମାଙ୍କରମୁଣ୍ଡାର 8କିମି ରାସ୍ତା
ରାସ୍ତା ନିର୍ମାଣ ନାଁରେ ହରିଲୁଟ, ଦୀର୍ଘ 11 ବର୍ଷ ହେଲା ସରୁନି ମାଙ୍କରମୁଣ୍ଡାର 8କିମି ରାସ୍ତା

By ETV Bharat Odisha Team

Published : Nov 18, 2023, 3:34 PM IST

ରାସ୍ତା ନିର୍ମାଣ ନାଁରେ ହରିଲୁଟ, ଦୀର୍ଘ 11 ବର୍ଷ ହେଲା ସରୁନି ମାଙ୍କରମୁଣ୍ଡାର 8 କି.ମି ରାସ୍ତା

ଦେବଗଡ:'ଉପାନ୍ତଠୁ ନେଇ ଉପକୂଳ ସବୁଠି ବିକାଶ ହେବ' । ରାଜ୍ୟ ସରକାର ଏଭଳି ନାରା ଦେବଗଡ ଜିଲ୍ଲାରେ ବାରକୋଟ ବ୍ଲକ ଅଞ୍ଚଳରେ ଫେଲ ମାରିଛି । କାରଣ ଗୋଟିଏ 8 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ତଥାପି ଶେଷ ହୋଇପାରୁନି ।ବର୍ଷେ ନୁହଁ କି ଦୁଇବର୍ଷ ନୁହେଁ ଦୀର୍ଘ 11 ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି ଜିଲ୍ଲାର ସୁଉଚ୍ଚ ମାଙ୍କରମୁଣ୍ଡା ଘାଟି ରାସ୍ତା । ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ 12ଟି ଗ୍ରାମର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଏହି ଘାଟି ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ରାସ୍ତାର ଅବସ୍ଥା ଦେଖିଲେ ଏହା କେବଳ ଠିକାଦାରଙ୍କୁ ମାଲେମାଲ କରିଥିବା ତାହା ସହଜରେ ବାରି ହୋଇପଡିବ ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ପଞ୍ଚାୟତ ଅନ୍ତର୍ଗତ ମାଙ୍କରମୁଣ୍ଡା ଗାଁରୁ ତିଳେଇବଣି ବ୍ଲକର ପାରପୋଷି, ଝାରମୁଣ୍ଡା ଓ ଲଇମୁରା ପଞ୍ଚାୟତକୁ ସଂଯୋଗ କରୁଥିବା ମୋଟ 8 କିଲୋମିଟର ରାସ୍ତାରେ ରହିଛି 4 କିଲୋମିଟର ବିଶିଷ୍ଟ ମାଙ୍କରମୁଣ୍ଡା ଘାଟି । ଏହି ପାହାଡିଆ ଘାଟି ରାସ୍ତା ପାରି ହୋଇ ପାହାଡ଼ ସେପଟେ ଥିବା ଝାରମୁଣ୍ଡା, ପାରପୋଷି ଓ ଲଇମୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ, ଡେଙ୍ଗୁରଜୋର, ଝାରମୁଣ୍ଡା, ଗମ୍ଭାରୀପୋଷି, ସମାସିଙ୍ଘା, ପାରପୋଷି, କେରାବାହାଲ ଓ ଡୁରିଜଙ୍ଗଲ ଆଦି 15 ଖଣ୍ଡ ଗ୍ରାମର ଲୋକେ ବାରକୋଟ ବ୍ଲକର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଯାତାୟତ କରିଥାନ୍ତି । ଦୂରତା କମ ପଡ଼ୁଥିବାରୁ ଲୋକେ ଏହି ପାହାଡିଆ ରାସ୍ତା ଅତିକ୍ରମ କରି ବିଭିନ୍ନ ଅଞ୍ଚଳକୁ ଯାତାୟତ କରିଥାନ୍ତି । ଏହି ରାସ୍ତାଟି ବାରକୋଟ ବ୍ଲକରୁ କୁଚିଣ୍ଡା ଓ ବଣେଇ ଅଞ୍ଚଳକୁ ମଧ୍ୟ ସଂଯୋଗ କରିଥାଏ ।

ସେହି ଦୃଷ୍ଟିରୁ ଏହି ମୋଟ 8 କିଲୋମିଟର ବିଶିଷ୍ଟ ଘାଟିରାସ୍ତା ନିର୍ମାଣ ପାଇଁ ଗତ 2012-13 ଆର୍ଥିକ ବର୍ଷ ରେ ସରକାରଙ୍କ ସମନ୍ବିତ କ୍ରିୟାନୁଷ୍ଠାନ ଯୋଜନା (ଆଇଏପି) ମାଧ୍ୟମରେ 50 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ 35 ଲକ୍ଷ ଓ 25 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ଜଣେ ସ୍ଥାନୀୟ ନେତାଙ୍କ ଠିକାଦାର ଭାଇ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ସରିଲାଣି ଡେଡଲାଇନ କେବେ ସରିବ ରାସ୍ତା କାମ ?

ହେଲେ ଗ୍ରାମବାସୀଙ୍କ କହିବାନୁଯାୟୀ, ମାତ୍ର ସମ୍ପୃକ୍ତ ଠିକାଦାର ଜଣକ ଏହି ଘାଟି ରାସ୍ତାର ମାତ୍ର 200 ମିଟର କଂକ୍ରିଟ କରିବା ସହ ଗୋଟିଏ ପୋଲ ନିର୍ମାଣ କରି କାମ ବନ୍ଦ କରିଦେଲେ । ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ନବନିର୍ମିତ ପୋଲଟି ନିର୍ମାଣର ମାସେ ନପୁରୁଣୁ ଭୁଶୁଡି ପଡିଲା । ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ହୋଇଥିବା କାରଣରୁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନପାରି ଏତିକିରେ ହିଁ ଅଟକି ରହିଲା । ଠିକାଦାର ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ ଉଠାଇ ମାଲେମାଲ ହୋଇଥିବା ବେଳେ, ରାସ୍ତା କାମ ଆଉ ଆଗେଇ ପାରିଲା ନାହିଁ ।

ଏହି ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଅଞ୍ଚଳବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା, ରାଜନୈତିକ ଚାପ ଯୋଗୁଁ ଏପର୍ଯ୍ୟନ୍ତ ଏହାର କୌଣସି ତଦନ୍ତ ହୋଇପାରିନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । 11 ବର୍ଷ ବିତିଯାଇଥିଲେ ବି ଅବସ୍ଥା ଯେମିତି ଥିଲା ସେମିତି । ଅନ୍ୟପଟେ ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଲକ୍ଷ୍ମଣ ସୋରେନଙ୍କ କହିବା କଥା, ମାଙ୍କରମୁଣ୍ଡା ଘାଟିରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ସରକାରଙ୍କ ନିକଟକୁ ପ୍ରୋପଜାଲ ଯାଇଛି । ସରକାର ଅନୁମୋଦନ କଲେ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details