ଦେବଗଡ: ଚାଷୀ ମୁଣ୍ଡରେ ପଡିଛି ଚଡକ । ଗୋଟିଏ ପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ, ଏବେ ପୁଣି ଧାନ ଗଛରେ ଲାଗିଛି ଗଣ୍ଠିପୋକ । ଯାହାକି ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।
ବିଗତ କିଛି ଦିନ ହେଲା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ନାଉଲିପଡା, ବୁଡିଦ ଓ ଟିଙ୍କିବିର ପଞ୍ଚାୟତର ଏକର ଏକର ପରିମିତ ଚାଷ ଜମିରେ ଲାଗିଛି ଗଣ୍ଠିପୋକ । ଏହି ପୋକ ଧାନଗଛର ମୂଳକୁ ଖାଇ ଯାଉଥିବାରୁ ଧାନଗଛ ଗୁଡିକ ବଢିବା ପରିବର୍ତ୍ତେ ଶୁଖିଯାଇ ନଷ୍ଟ ହୋଇଯାଉଛି । ଜିଲ୍ଲାରେ ଲଗାଣ ବର୍ଷା ସାଙ୍ଗକୁ କୋହଳା ପାଗ ଲାଗି ରହିଛି । ଯଦ୍ବାରା ଧାନଗଛରେ ଗଣ୍ଠିପୋକ ଧରିଥିବା କୁହାଯାଉଛି । ଏହି ପୋକ ପ୍ରଥମେ ନାଉଳିପଡା ପଞ୍ଚାୟତର କିଛି ଅଞ୍ଚଳରେ ଦେଖା ଦେବା ପରେ ବର୍ତ୍ତମାନ ଆଖପାଖ ବୁଡିଦ ଓ ଟିଙ୍କିବିର ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଫଳରେ ଏକର ଏକର ପରିମିତ ଚାଷ ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି ।