ଦେବଗଡ଼: ଶିଶୁକନ୍ୟା ଅପହରଣ ଯୋଜନା ହେଲା ପଣ୍ଡ । ମାଆ କୋଳକୁ ଫେରିଲା ଅପହୃତା ଶିଶୁକନ୍ୟା ପିହୁ ଅଗ୍ରୱାଲ । ଦେବଗଡ଼ ସହରରୁ ଗତକାଲି ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଦ୍ବାରା ରହସ୍ୟ ଜଣକ ଭାବେ ଅପହରଣ ହୋଇଥିବା ପାଞ୍ଚ ବର୍ଷର ଶିଶୁକନ୍ୟା ପିହୁ ଅଗ୍ରୱାଲ ଆଜି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଏକ ପୋଲ ତଳୁ ଉଦ୍ଧାର ହୋଇଛି । ଶିଶୁକନ୍ୟା ଉଦ୍ଧାର ହେବାପରେ ପରିବାର ଵର୍ଗ ଓ ଜନସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି । ଅପହୃତା ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ମେଡିକାଲ ଯାଞ୍ଚ ପରେ ଜଣାପଡିଛି ।
ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଭୋଇପାଲି ପୋଲ ତଳୁ ପିହୁକୁ ଉଦ୍ଧାର କରାଯାଇଛି । ଆଜି ଭୋରରେ କିଛି ଲୋକ ତାର କାନ୍ଦ ସ୍ବର ଶୁଣିଥିଲେ । ଆଉ ସେଠାକୁ ଯାଇ ଦେଖିଲା ବେଳକୁ ପିହୁକୁ ପାଇଥିଲେ । ଶିଶୁକନ୍ୟା ପିହୁ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବାରୁ କିଛି ଲୋକଙ୍କୁ ଦେଖିବା ମାତ୍ରେ ସେ ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଦୌଡ଼ି ଚାଲିଆସିଥିଲା । ସେପଟେ ଗତକାଲି ପିହୁ ଅପହରଣ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାରୁ ଏ ସମ୍ପର୍କରେ ଲୋକେ କିଛିଟା ଅବଗତ ଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦିଆଯିବା ପରେ କୁନି ଶିଶୁକୁ ଉଦ୍ଧାର କରାଯାଇଛି ।
ଏହା ବି ପଢନ୍ତୁ- ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର
ସୂଚନା ଥାଉ କି ଦେବଗଡ଼ ସହରର ଜଣେ ପ୍ରତିଷ୍ଠିତ କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ହେଉଛି ପିହୁ ଅଗ୍ରୱାଲ । ଗତକାଲି ସନ୍ଧ୍ୟାରେ ପିହୁ ଟ୍ୟୁସନ ସାରି ନିଜ ଆଈ ସହିତ ଘରକୁ ଫେରୁଥିବା ବେଳେ ଘର ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ କଳା ପଲସରରେ ଆସି ବୃଦ୍ଧାଙ୍କୁ ଧକ୍କା ମାରି ପିହୁକୁ ଅପହରଣ କରି ନେଇଥିଲେ । ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ସାରା ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଅପହୃତା ଶିଶୁକନ୍ୟାର ପରିବାର ଲୋକେ ଏସଂକ୍ରାନ୍ତରେ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦେବାପରେ ପୋଲିସ ତନାଘନା ଆରମ୍ଭ କରିଥିଲା ।