ଓଡିଶା

odisha

ETV Bharat / state

ପାନୀୟ ଜଳ ସମସ୍ୟା, ହାଇକୋର୍ଟଙ୍କ ଜବାବ ତଲବ

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଡୁବୁକୁ ସାହିରେ ପାନୀୟ ଜଳର ଗୁରୁତର ସମସ୍ୟାକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି । ଅଧିକ ପଢନ୍ତୁ

By

Published : Jun 20, 2023, 8:10 AM IST

drinking water problem case
drinking water problem case

କଟକ:ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନରେ ପ୍ରବଳ ଝାଞ୍ଜି ଓ ରାତିରେ ଅସହ୍ୟ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏଭଳି ସ୍ଥିତିରେ ପାନୀୟ ଜଳର ଅଭାବ ଯାହାକି କଷ୍ଟକୁ ଦୁଇ ଗୁଣିତ କରି ଦେଉଛି । ତେବେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଡୁବୁକୁ ସାହିରେ ପାନୀୟ ଜଳର ଗୁରୁତ୍ୱର ସମସ୍ୟାକୁ ନେଇ ହାଇକୋର୍ଟରେ ମାମଲା ଦାଖଲ ହୋଇଥିଲା । ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଜବାବ ତଲବ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ନଦୀନାଳରେ ଜଳସ୍ତର ହ୍ରାସ, ଜନଜୀବନ ଅସ୍ତବ୍ୟସ୍ତ

ବିଶେଷ କରି ଡୁବୁକୁ ସାହିରେ ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରୀ କର୍ତ୍ତୃପକ୍ଷ କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରଦ୍ଧାସୁମନ ସିଂଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲାର ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଟ୍ୟାପ ଅଛି ପାଣି ଆସୁନି, ୱାଟକୋ ଅଫିସ୍‌ ଘେରିଲେ ବସ୍ତିବାସିନ୍ଦା

ତେବେ ଏହି ମାସ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମାମଲାରୁ ଜଣାପଡିଛି ଯେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ଡୁବୁକୁ ସାହି ବାସିନ୍ଦା ପାନୀୟ ଜଳ ସମସ୍ୟାର ଗୁରୁତ୍ୱର ଭାବରେ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଏପ୍ରିଲ ୧୨ରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ଏହି ସମସ୍ୟାକୁ ନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପାନୀୟ ଜଳ ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରଶାସନିକ ନିଷ୍କ୍ରିୟତା ବିରୋଧରେ ଦାୟର ହୋଇଥିବା ଏହି ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର, ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ପ୍ରକାଶ ଥାଉକି, ସେହିପରି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ପରିଲକ୍ଷିତ ହୋଇଛି । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ମାଣ ହୋଇଥିବା ଓଭର ହେଡ୍‌ ଟାଙ୍କି, ସୋଲାର ପ୍ରକଳ୍ପ ଓ ଅନେକ ନଳକୂପ ଅଚଳ ହୋଇ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାଣି ମୁନ୍ଦାଏ ପାଇଁ କିଲୋମିଟର କିଲୋମିଟର ବାଟ ଯାଇ ପାଣି ସଂଗ୍ରହ କରିବାକୁ ପଡୁଥିବା କହିଛନ୍ତି ଗ୍ରାମବାସୀ । ଏପରିକି ଅନେକ ଉପାନ୍ତ ଅଞ୍ଚଳରେ ଶୁଖିଲା ପାହାଡିଆ ନାଳରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡୁଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details