ଦେବଗଡ଼: ପଟୁମାଟିରେ ପୋତି ହେବାକୁ ବସିଛି ଗୋହିରା ଜଳ ଭଣ୍ଡାର । ଉଦବେଗ ଜନକ ଭାବେ ହ୍ରାସ ପାଇବାରେ ଲାଗିଛି ଜଳ ଭଣ୍ଡାରର ଜଳଧାରଣ କ୍ଷମତା । ଚାଷ ଜମିକୁ ମିଳୁନି ମୁନ୍ଦାଏ ଜଳ । ଫଳରେ ଏହି ପ୍ରକଳ୍ପ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରୁଥିବା ଚାଷୀକୂଳ ଏବେ ଚିନ୍ତାରେ । ଆମେ କହୁଛୁ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ଆମ୍ବଘାଟଠାରେ ନିର୍ମାଣ ହୋଇଥିଲା ଗୋହିରା ଜଳସେଚନ ପ୍ରକଳ୍ପ କଥା । 1977 ମସିହାରେ ନିର୍ମାଣ ହୋଇଥିବା ଏହି ଗୋହିରା ଜଳଭଣ୍ଡାର ଆଜକୁ ଦୀର୍ଘ ଦଶ ବର୍ଷ ହେଲା ପୋତି ହେବାକୁ ବସିଛି । ଯାହାର ସିଧାସଳଖ ପ୍ରଭାବ ପଡିଛି ଚାଷକାର୍ଯ୍ୟ ଉପରେ ।
ପୋତି ହେଲାଣି ଗୋହିରା ଜଳଭଣ୍ଡାର, ଚିନ୍ତାରେ ଚାଷୀ 1977 ମସିହାରେ ନିର୍ମାଣ ହୋଇଥିଲା ଗୋହିରା ଜଳସେଚନ ପ୍ରକଳ୍ପ । ସରକାରଙ୍କ ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପଟି 1985 ମସିହାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା । ଲକ୍ଷ୍ୟ ଥିଲା ଚାଷ ଜମିକୁ ଜଳସେଚନ କରିବା । ବିଶେଷ କରି ରେଙ୍ଗାଳି ବୃହତ ନଦୀବନ୍ଧ ଯୋଜନା ଦ୍ୱାରା ଜିଲ୍ଲାର ବିସ୍ଥାପିତ ହୋଇଥିବା ଲୋକଙ୍କୁ ତିଳେଇବଣି ଓ ରିଆମାଳ ବ୍ଲକରେ ଥଇଥାନ କରି ସେମାନଙ୍କୁ ଜଳସେଚିତ ଚାଷଜମି ଯୋଗାଇ ଦେବା ମହତ ଲକ୍ଷରେ ସରକାର ନିର୍ମାଣ କରିଥିଲେ ଏହି ପ୍ରକଳ୍ପ । ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ଖରିଫ ଋତୁରେ 8120 ହେକ୍ଟର ଓ ରବି ଋତୁ ରେ 5700 ହେକ୍ଟର ଜମିରେ ଚାଷକାର୍ଯ୍ୟ ହେଉଥିଲା ।
ଗୋହିରା ଆୟକଟ ଅଞ୍ଚଳରେ ବସବାସ କରୁଥିବା ଜିଲ୍ଲାର ଦୁଧିଆନାଳି , ଢୋଲପଡା , ତାଳକୁଣ୍ଡି , ତେନ୍ତଳାବାହାଳ , ଆଡ଼ସ , ତାବଡା ଓ ଗୁଣ୍ଡିଆପାଲି ଆଦି ସାତଖଣ୍ଡ ପଞ୍ଚାୟତର ଲୋକେ ବର୍ଷକୁ ଦୁଇଥର ଖରିଫ ଓ ରବି ଫସଲ କରି ବେସ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିଥିଲେ । ମାତ୍ର ବିଡମ୍ବନାର ବିଷୟ ଯେ , ଆଜକୁ ଦୀର୍ଘ ଦଶ ବର୍ଷ ହେଲା ପୋତି ହେବାକୁ ବସିଛି ଗୋହିରା ଜଳଭଣ୍ଡାର । ଉଦବେଗ ଜନକ ଭାବେ ହ୍ରାସ ପାଇବାରେ ଲାଗିଛି ଏହାର ଜଳଧାରଣ କ୍ଷମତା । ବର୍ଷା ଋତୁରେ ଉପର ମୁଣ୍ଡରୁ ପ୍ରଚୁର ପରିମାଣରେ ମାଟି ଓ ପଙ୍କ ଗୋହିରା ଜଳଭଣ୍ଡାରକୁ ପ୍ରବେଶ କରୁଥିବାରୁ ଏହି ଜଳଭଣ୍ଡାର କ୍ରମଶଃ ପୋତି ହେଉଥିବା ଦେଖାଯାଇଛି । ତେଣୁ ଏହି ଜଳଭଣ୍ଡାର ର ଜଳଧାରଣ କ୍ଷମତା ପ୍ରତିବର୍ଷ ବହୁ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ଫଳରେ ଏହି ପ୍ରକଳ୍ପ ଉପରେ ନିର୍ଭର କରି ବର୍ଷ ତମାମ ଚାଷକାର୍ଯ୍ୟ କରୁଥିବା ଚାଷୀକୁଳ ଏବେ ଚିନ୍ତାରେ ।
ଦୀର୍ଘବର୍ଷ ହେଲା ଗୋହିରା ଜଳଭଣ୍ଡାରର ପୁନରୁଦ୍ଧାର କରାନଯିବା ଏବଂ କେନାଲ ଗୁଡିକ ମରାମତି କରାନଯିବା କାରଣରୁ ଏହି ପ୍ରକଳ୍ପର ସୁଫଳ, ଚାଷୀକୁଳ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଜଳଭଣ୍ଡାରକୁ ପୁନରୁଦ୍ଧାର କରାଯିବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା କେନାଲ ଗୁଡିକ ମରାମତି କରାଯିବାକୁ ଚାଷୀକୁଳ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ଚାଷୀଙ୍କ ସମସ୍ୟା ଶୁଣୁଛି ବା କିଏ ? କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାର ମୋଟ 13,820 ହେକ୍ଟର ଚାଷଜମିକୁ ଜଳ ଯୋଗାଇବାର କ୍ଷମତା ଏହି ପ୍ରକଳ୍ପର ରହିଛି । ତେଣୁ ଏହି ପ୍ରକଳ୍ପର ପୁନରୁଦ୍ଧାର ଦିଗରେ ସରକାର ଯତ୍ନଶୀଳ ହେଲେ ଏହା ଉପରେ ନିର୍ଭର କରୁଥିବା ଚାଷୀକୁଳ ଉପକୃତ ହେବା ସହ ଜିଲ୍ଲାରେ କୃଷିର ବିକାଶ ହୋଇ ପାରନ୍ତା ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ