ଦେବଗଡ଼: ଜିଲ୍ଲାର ଲୁଲଙ୍ଗ ଗ୍ରାମରେ ଗଣ୍ଡ ସଂସ୍କୃତ ମହାସମାଜର ଜଙ୍ଘା ବଡ଼ଦେଵଙ୍କ ପ୍ରସିଦ୍ଧ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଗଣ୍ଡ ସମ୍ପ୍ରଦାୟ ଲୋକେ ଯୋଗଦେଇ ସେମାନଙ୍କ ଇଷ୍ଟ ଦେଵତା ଜଙ୍ଘାଲିଙ୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ଗାଁ ଠାରେ ଗଣ୍ଡ ସାଂସ୍କୃତି ମହାସମାଜର ଇଷ୍ଟଦେଵ ଜଂଘା ବଡ଼ଦେଵ ତଥା ଜଂଘାଲିଙ୍ଗାଙ୍କ ବାର୍ଷିକ ପୂଜା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ସଭାପତି ଦୈତାରି ନାଏକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରସିଦ୍ଧ ପୂଜାରେ ରିଆମାଳ ଆଠପଡା ଗଣ୍ଡ ସମାଜର ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ସେମାନଙ୍କ ଇଷ୍ଟଦେଵତା ଜଂଘା ବଡ଼ଦେଵ ବା ଜଂଘାଲିଙ୍ଗାଙ୍କୁ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗଣ୍ଡ ସମାଜର ମହିଳା ଓ ପୁରୁଷ ଏକତ୍ରୀତ ହୋଇ ଏକ କଳସ ଶୋଭାଯାତ୍ରାରେ ନିକଟସ୍ଥ ଝରଣାରୁ ଜଳ ଆଣି ଇଷ୍ଟଦେଵ ଜଙ୍ଘାଲିଙ୍ଗାଙ୍କୁ ଅମୃତ ସ୍ନାନ କରଇବା ପରେ ପୂଜା ମଣ୍ଡପକୁ ଆଣି ସେଠାରେ ଇଷ୍ଟଦେବତାଙ୍କ ଶରୀରରେ ତୈଳ ଲେପନ କରି ପୂଜାର୍ଚ୍ଚନା କରିଥିଲେ। ଜଙ୍ଘାଲିଙ୍ଗାଙ୍କ ଦାରୁରେ ତୈଳ ଲେପନ କରି ପୂଜାର୍ଚ୍ଚନା କଲେ ସମସ୍ତ ପାପ ତାପରୁ ମୁକ୍ତି ମିଳିବା ସହିତ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି।