ଦେବଗଡ଼: ବାରକୋଟ ବ୍ଲକ ବିଜାଡ଼ିହି ଗାଁରେ ଛେଳି ମଡ଼କ ଦେଖାଦେଇଛି । କୌଣସି ଅଜଣା ରୋଗ କାରଣରୁ ଦଶଦିନରେ ୬୦ରୁ ଅଧିକ ଛେଳି ମରିଯାଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଛେଳି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ଦ୍ବାରା ଛେଳିଚାଷ କରି ଜୀବିକା ନିର୍ବାହ କରୁଥିବା ପାଉଡ଼ିଭୂୟାଁ ଜନଜାତିର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ କହିଛନ୍ତି ।
ସରୁଆଳି ପଞ୍ଚାୟତର ବିଜାଡ଼ିହି ଗାଁରେ ଅଜଣା ରୋଗରେ ଦଶଦିନରେ ମଲେଣି ୬୦ରୁ ଅଧିକ ଛେଳି । ଏବେବି ଗାଁର ଅନେକ ଛେଳି ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଛେଳି ମାନଙ୍କ ନାକରୁ ପାଣି ବାହାରିବା ଓ ପେଟ ଫୁଲିଯିବା କାରଣରୁ ଛେଳିମାନେ ଠିକ ଭାବେ ଚରାବୁଲା କରିନପାରି ମୃତ୍ୟୁବରଣ କରୁଥିବା ଜଣାଯାଇଛି । ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ପ୍ରବାହ କାରଣରୁ ଛେଳି ମୃତ୍ୟୁ ହେଉଥିବା ସାଧାରଣରେ ସନ୍ଦେହ କରାଯାଉଥିବା ବେଳେ ଏହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଫଳରେ ଛେଳିଚାଷ କୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥିବା ଗ୍ରାମବାସୀ ଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଛି ।