ଦେବଗଡ଼: ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନ ପଥର ! ରଙ୍ଗ ବେରଙ୍ଗର ମୂଲ୍ୟବାନ ପଥର ଦେଖି ଚକିତ ହୋଇଗଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତରେ । ଏନେଇ ସ୍ଥାନୀୟ ପୋଲିସ, ବନ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।
ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତର ହାଡ଼ିସଂହାର ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ଦିନ ପୂର୍ବରୁ ଜିଲ୍ଲା ଜଳ ବିଭାଜିକା ମିଶନ ତରଫରୁ ପୋଖରୀ ଖନନ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଏହାର ଗୋଟିଏ ପାର୍ଶ୍ଵରେ ମାଟିତଳୁ ନୀଳ ଓ ଲାଲ ରଙ୍ଗର କିଛି ପଥର ବାହାରୁଥିବା ଶ୍ରମିକମାନେ ଦେଖିବାକୁ ପାଇଥିଲେ । ଅଧିକ ଗଭୀର ପର୍ଯ୍ୟନ୍ତ ଖୋଳା ଯିବାରୁ ବହୁ ପରିମାଣରେ ଏଭଳି ପଥର ବାହାରୁଥିବା ଦେଖାଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକେ ଜାଣିବା ପରେ ପୋଖରୀର ବିଭିନ୍ନ ପାର୍ଶ୍ୱକୁ ଖୋଳି କିଛି ମାତ୍ରାରେ ପଥର ସଂଗ୍ରହ କରିଥିଲେ । ତେବେ ଏହି ରଙ୍ଗ ବେରଙ୍ଗର ପଥର ମୂଲ୍ୟବାନ ରତ୍ନ ପଥର ହୋଇପାରେ ବୋଲି ଅନୁମାନ କରାଯାଇଛି ।
ତେବେ ଏହି ଘଟଣା ଚାରିଆଡେ ପ୍ରଘଟ ହେବା ପରେ ମଙ୍ଗଳବାର ଘଟଣାସ୍ଥଳରେ କୁଣ୍ଢେଇଗୋଳା ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ପରେ ଏ ସମ୍ପର୍କରେ ରିଆମାଳ ତହସିଲଦାର ଓ ବନ ବିଭାଗ କର୍ମଚାରୀମାନେ ପହଞ୍ଚି କିଛି ପଥର ନମୁନା ସଂଗ୍ରହ କରି ଏହାର ପରୀକ୍ଷା ନିରୀକ୍ଷା ପାଇଁ ଷ୍ଟିଲ ଏଣ୍ଡ ମାଇନିଂ ବିଭାଗକୁ ପଠାଇଥିବା ଜଣାଯାଇଛି । ଅନ୍ୟପଟେ ପଥର ଖନନ ବେଳେ ପୋଖରୀରେ ବଡ଼ ବଡ଼ ଗାଡ଼ ସୃଷ୍ଟି ହୋଇଥିବାରୁ ସମସ୍ତ ଗାଡକୁ ମାଟି ପକାଇ ସମତଳ କରାଯାଇ ସେଠାକୁ ଲୋକେ ନଯିବା ପାଇଁ ବାରଣ କରାଯାଇଛି ।