ଦେବଗଡ: ହନୁମାନ ପଇସା ହେଲା କାଳ । ସହଜ ଉପାୟରେ ଅଧିକ ଅର୍ଥ ଉପାର୍ଜନ ଆଶାରେ ସାଙ୍ଗ ସାଜିଲେ ବଇରୀ । ହନୁମାନ ପଇସା ହାତେଇବାକୁ କିଛି ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଛନ୍ତି । ଦେବଗଡ ଥାନା ଅନ୍ତର୍ଗତ ଟିପିରିସିଂହା ଗାଁରେ ଘଟିଛି ଏହି ବର୍ବର କାଣ୍ଡ । ଘଟଣାରେ ଅଭିଯୁକ୍ତ ଚାରି ଜଣ ସାଙ୍ଗକୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ, ଦେବଗଡ ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମର ଫକୀର କିସାନଙ୍କ ପୁଅ କୃଷ୍ଣ କିସାନଙ୍କ ନିକଟରେ ଏକ ହନୁମାନ ପଇସା ଥିଲା । ଯେଉଁ କଥା ଉକ୍ତ ଗ୍ରାମରେ ରହୁଥିବା କୃଷ୍ଣଙ୍କ ସାଙ୍ଗ ଚାଣ୍ଡାଳୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରୀ କିସାନ ଓ ପ୍ରଦୀପ ମାଝୀ ଜାଣିଥିଲେ । ଏହାପରେ ସେମାନେ ହନୁମାନ ପଇସାକୁ କୃଷ୍ଣଙ୍କ ଠାରୁ ହାସଲ କରିବାକୁ ଯୋଜନା କରିଥିଲେ । ଯୋଜନା ଅନୁଯାୟୀ ଗତ 4 ତାରିଖ ରାତି ପ୍ରାୟ 8 ଟା ସମୟରେ ଗାଁରେ ଏକ ପୂଜା ହେବା ସହ ବୈଠକ ବସିଥିଲା । ବୈଠକ ପରେ 4 ଅଭିଯୁକ୍ତ ସାଙ୍ଗ ମାଛ ଧରିବା ପାଇଁ ନିକଟସ୍ଥ ଗାଁକୁ କୃଷ୍ଣଙ୍କୁ ଡାକି ନେଇଥିଲେ । ତା' ପରଦିନ ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ଗ୍ରାମ ନିକଟସ୍ଥ ଏକ ଟ୍ରାନ୍ସଫର୍ମର ଖୁଣ୍ଟ ତଳେ କୃଷ୍ଣଙ୍କ ମୃତଦେହ ପଡିଥିବା ଦେଖାଯାଇଥିଲା । ତେବେ ମୃତଦେହର ବିଭିନ୍ନ ସ୍ଥାନରେ ଅନେକ କ୍ଷତ ଚିହ୍ନ ଥିବାରୁ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା ।