ଦେବଗଡ଼: କାଳ ପାଲଟିଛି ଚିରସ୍ରୋତା ବାଳିଆପିଟା ନାଳ । ନାଳ ଗର୍ଭରେ ଲୀନ ହୋଇଗଲାଣି ଏକର ଏକର ଚାଷଜମି , ଯାହାକୁ ନେଇ ମୁଣ୍ଡରେ ହାତ ଦେଇଛି ଚାଷୀ । ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତର କଲଣ୍ଡା ଓ ବଲଣ୍ଡା ଗାଁର ଲୋକେ । ଏ ସମସ୍ୟା କେବଳ ଆଜିର ନହେଁ ବରଂ ଗତ ୧୦ରୁ ୧୨ ବର୍ଷ ହେଲା ଏଭଳି ସମସ୍ୟା ଭିତରେ ଗତି କରୁଛି ଚାଷୀ ।
କଲଣ୍ଡା ଓ ବଲଣ୍ଡା ଗାଁ ନିକଟରେ ପ୍ରବାହିତ ହେଉଛି ଚିରସ୍ରୋତା ବାଳିଆପିଟା ନାଳ । ଏହି ନାଳ ଉଭୟ ପାର୍ଶ୍ୱରେ ରହିଛି ଦୁଇଟି ଗାଁର ଶହେ ଏକରରୁ ଉର୍ଦ୍ଧ ଚାଷ ଜମି । ଏହି ଚାଷ ଜମିରେ ବର୍ଷ ତମାମ ବିଭିନ୍ନ ଚାଷକାର୍ଯ୍ୟ କରି ଗ୍ରାମବାସୀ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ବିଗତ କିଛିବର୍ଷ ହେଲା ଏହି ନାଳ ଗ୍ରାମବାସୀଙ୍କ ପାଇଁ କାଳ ପାଲଟିଛି । ମୁଖ୍ୟତଃ ବର୍ଷା ଋତୁରେ ନାଳରେ ବନ୍ୟା ଆସିବା ଫଳରେ ଏହାର ଗତିପଥ ବଦଳିଯାଏ । ଫଳରେ ନାଳରେ ପ୍ରତିବର୍ଷ ଏକର ଏକର ଚାଷଜମି ଲୀନ ହେଉଛି । ଏପର୍ଯ୍ୟନ୍ତ ଏହି ୨ ଗ୍ରାମର 50 ଏକରରୁ ଉର୍ଦ୍ଧ୍ବ ଚାଷ ଜମି ନାଳ ଗର୍ଭକୁ ଚାଲିଗଲାଣି । ତେଣୁ ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ ଗ୍ରାମବାସୀ ତଥା ଚାଷୀକୁଳଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି ।