ଦେବଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାନ କିଣାକୁ ନେଇ ଦେଖାଦେଇଛି ଅନେକ ସମସ୍ୟା । ଦେବଗଡର ଗାନ୍ଧିଜୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ରି ହୋଇ ନପାରି ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନବସ୍ତା । ସେପଟେ ଧାନ ବିକ୍ରୟ କରି ନପାରି ମୁଣ୍ଡରେ ହାତଦେଇ ବସିରହିଛନ୍ତି ଚାଷୀକୁଳ ।
ଦେବଗଡ଼ ଜିଲ୍ଲାରେ ସ୍ଥାଣୁ ପାଲଟିଥିବା ଯୋଗାଣ ବ୍ୟବସ୍ଥାର ଏଭଳି ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଚଢ଼େଇମରା କୃଷି ସେବା ସମବାୟ ସମିତିରେ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଚଢ଼େଇମରା କୃଷି ସେବା ସମବାୟ ସମିତିରେ ଧାନ କିଣାରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା ।
ଆଜିକୁ ଦୀର୍ଘ ଏକମାସ ହେଲା ଏହି ସମବାୟ ସମିତି କାର୍ଯ୍ୟାଳୟ ପରିଷଦରେ ପରିତ୍ୟକ୍ତ ଭାବେ ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନବସ୍ତା। ନା ଏଠାକୁ ମିଲର ଆସୁଛନ୍ତି , ନା ଯୋଗାଣ ବିଭାଗର ଦେଖା ମିଳୁଛି । ସବୁକିଛି ଯେଭଳି ଠପ ହୋଇ ପଡିଛି ଏଠାରେ । ସୂଚନା ଅନୁଯାୟୀ , ରିଆମାଳ ବ୍ଲକ ନୂଆପଡା ଗ୍ରାମର ଶତାଧିକ ଚାଷୀ ଚଢ଼େଇମରା ସେବା ସମବାୟ ସମିତିରେ ଧାନ ବିକ୍ରି କରିବା ପାଇଁ ଗତ 11 , 18 ଓ 20 ତାରିଖରେ ତିନୋଟି ପର୍ଯ୍ୟାୟରେ ଟୋକନ ପାଇଥିଲେ ।