ଦେବଗଡ଼: କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ସଙ୍ଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ବିଶେଷକରି ଦେବଗଡ଼ ଦେଇ ଅତିକ୍ରମ କରିଥିବା ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି ।
ଗତ ୨୦୨୦ -୨୧ ବର୍ଷ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଭୟଙ୍କର ମରୁଡି ପରିସ୍ଥିତି ଦେଖା ଦେଇଥିଲା । ଫଳରେ ଚାଷୀମାନେ ମରୁଡି କ୍ଷତିପୁରଣ ପାଇବା ଆଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇଥିଲେ । କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଚାଷୀଙ୍କୁ ସେମାନଙ୍କ ବୀମା ଟଙ୍କା ମିଳିପାରି ନାହିଁ । ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେବାରୁ ଆଜି (ସୋମବାର) ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରିଥିବା ସୂଚନା ମିଳିଛି ।