ମନ ମୋହୁଛି ସୂର୍ଯ୍ଯମୁଖୀ କ୍ଷେତ ଦେବଗଡ:ଚୈତ୍ର ମାସର ଦାଉଦାଉ ଖରା ବି ବେପରୁଆ ହସ ହସୁଛି ସୂର୍ଯ୍ୟମୁଖୀ । ସୁଲୁସୁଲିଆ ପବନରେ ସତେ ହାତ ଠାରି ଡାକି ଦେଉଛି କ୍ଷେତକୁ । ଫୁଲର ସମ୍ଭାରକୁ ଦେଖି ଆଖି ଲାଖି ଯାଉଛି । ସତେ ଯେମିତି କ୍ଷେତରେ ବିଛା ଯାଇଛି ସୁନ୍ଦର ହଳଦିଆ କାର୍ପେଟ । ପବନର ତାଳେ ତାଳେ ଖୁସ ମିଜାଜ୍ ସୂର୍ଯ୍ୟମୁଖୀ ଝୁମି ଉଠୁଥିବା ମନେ ହେଉଛି । ଏହି ମନୋରମ ଦୃଶ୍ୟ ଆଖି ଦେଇ ଆତ୍ମାକୁ କିଣି ନେଲା ପରି ।
ମନ କିଣୁଛି ସୂର୍ଯ୍ୟମୁଖୀ:ସୂର୍ଯ୍ୟମୁଖୀ କ୍ଷେତ ବାଟ ଦେଇ ଯିଏ ଯାଉଛି ଘଡ଼ିଏ ରହି ଏହି ମନ ବଦାଣିଆ ଦୃଶ୍ୟକୁ ମନ ଝରକାରେ କଏଦ କରୁଥିବ ନିଶ୍ଚୟ । ସୂର୍ଯ୍ୟମୁଖୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ଉପକାରୀ । କମ୍ ଖର୍ଚ୍ଚରେ ଅଧିକ ଲାଭ ଦେଉଥିବା ଚାଷ ହେଉଛି ସୂର୍ଯ୍ଯମୁଖୀ ଚାଷ। ଧାନ ଅମଳ ହେବା ପରେପରେ ଅର୍ଥାତ ଜାନୁଆରୀ ମାସରେ ଆରମ୍ଭ ହୋଇଥାଏ ଏହି ଚାଷ । ଚାଷଜମି କୁ ଉର୍ବର କରାଯିବା ପରେ ସୂର୍ଯ୍ୟମୁଖୀ ବିହନ ବୁଣାଯାଏ । ଅପ୍ରେଲ ମାସ ବେଳକୁ ସୂର୍ଯ୍ୟମୁଖୀ ଅମଳ ହୋଇଥାଏ ।
ଦେବଗଡ଼ରେ ସୂର୍ଯ୍ୟମୁଖୀ ଚାଷ: କୃଷିପ୍ରଧାନ ଦେବଗଡ଼ ଜିଲ୍ଲାରେ ମୃତ୍ତିକା ଓ ଜଳବାୟୁ ତୈଳବିଜ ଫସଲ ସୂର୍ଯ୍ୟମୁଖୀ ଚାଷ ପାଇଁ ବେଶ ଅନୁକୂଳ । ପ୍ରାୟ 250 ଏକରରୁ ଅଧିକ ଜମିରେ 200ରୁ ଅଧିକ ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ବେଶ ଉପକୃତ ହେଉଛନ୍ତି । ଚାଷୀ ସୂର୍ଯ୍ୟମୁଖୀ ଅମଳ କରିବା ପରେ ସେଥିରୁ ବର୍ଷକ ପାଇଁ ଖାଇବା ତେଲ ପ୍ରସ୍ତୁତ କରିଥାନ୍ତି । ବଳକା ତେଲ ବଜାରରେ ବିକ୍ରୟ କରି ଏକର ପ୍ରତି 50 ହଜାରରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ଚାଷୀ । ତେବେ ଅଦିନିଆ ବର୍ଷା ଓ ଝଡ଼ ତୋଫାନ ନହେଲେ ଚାଷୀ ଆଶାନୁରୂପ ଅମଳ କରିବାରେ ସକ୍ଷମ ହୋଇଥାନ୍ତି ।
ସୂର୍ଯ୍ୟମୁଖୀ ଚାଷୀଙ୍କ କହିଛନ୍ତି, ‘‘ଖରା ଦିନରେ ଆମେ ଧାନ ଚାଷ କରିବା ପରେ ସୂର୍ଯ୍ୟମୁଖୀ ଚାଷ କରିଥାଉ । ଏହା ଆମର ପ୍ରଧାନ ଚାଷ ହୋଇଥିବା ବେଳେ ସରକାରଙ୍କ ଠାରୁ କୌଣସି ପ୍ରକାର ସାହାଯ୍ୟ ଏବଂ ସହଯୋଗ ପାଇ ପାରୁନାହୁଁ । ଏହା ଖରାଦିନ ଭଲ ଅମଳ ହେଉଥିବା ବେଳେ ପାଣିର ସମସ୍ଯା ଦେଖାଯାଏ। ସରକାର ପାଣିର ସୁବିଧା ପ୍ରଦାନ କଲେ ଅମଳ ଆହୁରୀ ଭଲ ହେବ ।’’ ଅନ୍ୟପଟେ କୃଷି ବିଶେଷଜ୍ଞ ସୁଜିତ କୁମାର ନାଥ କହିଛନ୍ତି, "ଦେବଗଡର ଏହା ପାମ୍ପରିକ ଚାଷ। ସେ ଚାଷୀଙ୍କୁ ନିଜ କ୍ଷେତରେ ପାଣି ଏବଂ ସାରର ଛିଞ୍ଚନ ସଠିକ ରୂପେ କଲେ ଫସଲ ଆହୁରୀ ଭଲ ହେବ ।"
ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ: କିନ୍ତୁ ଦେବଗଡରେ ସରକାରଙ୍କ ପ୍ରୋତ୍ସାହନ ଅଭାବ ଓ ଅବଶ୍ୟକୀୟ ଜ୍ଞାନ କୌଶଳ ଅଭାବରୁ ଚାଷୀ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଜମିକୁ ଜଳସେଚିତ କରିବା ପାଇଁ ସରକାରୀ ବ୍ୟବସ୍ତା ନଥିବାରୁ ଚାଷୀମାନେ ନିଜସ୍ୱ ଉଦ୍ଦ୍ୟମରେ ସ୍ଥାନୀୟ ନାଳରୁ ପମ୍ପ ଯୋଗେ ଜମିକୁ ଜଳ ଯୋଗାଉଛନ୍ତି । ନାଳରେ ମଧ୍ୟ ପର୍ଯ୍ୟାପ୍ତ ଜଳ ନଥିବାରୁ ଚାଷୀଙ୍କୁ ବହୁକଷ୍ଟର ସମ୍ମୁଖୀନ କରୁଛନ୍ତି । ଏଥିସହ ସୂର୍ଯ୍ୟମୁଖୀ ଚାଷ ନିମନ୍ତେ ଚାଷୀଙ୍କୁ ସରକାରୀ ସ୍ତରରୁ ସ୍ୱତନ୍ତ୍ର ତାଲିମ ମିଳିପାରୁ ନାହିଁ । ଫଳରେ ଚାଷୀ ନିଜସ୍ୱ ଜ୍ଞାନ କୌଶଳରେ ଏହି ଚାଷ କରି ଆଶାଠାରୁ କମ୍ ଲାଭ ପାଉଛନ୍ତି ଚାଷୀ । ସୂର୍ଯ୍ୟମୁଖୀ ଚାଷ ପାଇଁ ଜିଲ୍ଲାରେ ଅନୁକୂଳ ପରିବେଶ ଓ ବ୍ୟାପକ ଭିତ୍ତିଭୂମି ରହିଛି । ସରକାରୀ ସ୍ତରରୁ ଜମିକୁ ଜଳସେଚନ ଓ ଚାଷୀଙ୍କୁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରାଗଲେ ଆହୁରି ଅଧିକ ଚାଷୀ ଏହି ଚାଷରେ ଆଗ୍ରହୀ ହୋଇ ନିଜକୁ ସ୍ବାବାଲମ୍ବୀ କରି ପାରିବେ ।
ଇଟିଭି ଭାରତ ଦେବଗଡ଼