ଦେବଗଡ଼: ଧାନ କିଣାକୁ କେନ୍ଦ୍ର କରି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ଚାଷୀ ଆନ୍ଦୋଳନ । ଦେବଗଡ ଚାଷୀମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନ ଆଗକୁ ବିସ୍ପୋରକ ରୂପ ନେବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏହାର ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରେ ଧାନ ସଂଗ୍ରହରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଜିଲ୍ଲାର ମୋଟ 37ଟି ସେବା ସମବାୟ ସମିତି ମାଧ୍ୟମରେ ସୁଚାରୁ ରୁପେ ଧାନ କିଣା ଚାଲିଥିବାବେଳେ ଗତ ଜାନୁଆରୀ ମାସ ଶେଷ ଠାରୁ ଜିଲ୍ଲାର ସମସ୍ତ ସେବା ସମବାୟ ସମିତିର ଧାନ କିଣା ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଛି ।
ଚଳିତ ବର୍ଷ ଟାର୍ଗେଟ ପୂରଣ ହୋଇ ସାରିଥିବା କହି ଜିଲ୍ଲା ଯୋଗାଣ ବିଭାଗ ତଥା ପ୍ରଶାସନ ପକ୍ଷରୁ ଫେବୃଆରୀ ମାସ ଠାରୁ ଧାନ କିଣାକୁ ବନ୍ଦ କରି ଦିଆଯାଇଛି । କୌଣସି ମଣ୍ଡିରେ ଆଉ ମିଲରର ଦେଖା ମିଳୁନାହିଁ । ଫଳରେ ଧାନ ବିକ୍ରି କରିବାକୁ ପଞ୍ଜିକୃତ ହୋଇ ଟୋକନ ପାଇ ସାରିଥିବା ଜିଲ୍ଲାର ଅଧିକାଂଶ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି ।
ତେଣୁ ଏହାକୁ ନେଇ ଜିଲ୍ଲାର ଚାଷୀଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ । ଟୋକନ ପାଇଥିବା ଚାଷୀଙ୍କ ଧାନ କିଣାଯିବାକୁ ଚାଷୀକୁଳ ବାରମ୍ବାର ପ୍ରଶାସନ ଓ ଯୋଗାଣ ବିଭାଗ କତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି । ଏନେଇ ବିଭିନ୍ନ ଚାଷୀ ସଂଗଠନ ମଧ୍ୟ ପ୍ରଶାସନ ଓ ଯୋଗାଣ ବିଭାଗ ସହିତ ବାରମ୍ବାର ଆଲୋଚନା କରି ଆସୁଛନ୍ତି । କିନ୍ତୁ ଏଯାଏଁ କୌଣସି ସମାଧାନ ରାସ୍ତା ବାହାରି ପାରିନାହିଁ ।