ଦେବଗଡ଼: ଜିଲ୍ଲାରେ ଥମୁନି ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ । ଦିନକ ପରେ ପୁଣି ଥରେ ପୋଲିସ ହାତରେ ବନ୍ଧା ହେଲା ଆଉ ଜଣେ ନକଲି ଡାକ୍ତର । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଟିପିରିସିଂଘା ଗାଁରେ ଚିକିତ୍ସା ଆଳରେ ବୋକା ବନାଇ ଲୋକଙ୍କ ଜୀବନ ସହିତ ଖେଳୁଥିବା ଏହି ନକଲି ଡାକ୍ତର ଜଣକ ହେଉଛି ପଶ୍ଚିମବଙ୍ଗର ଅର୍ଣ୍ଣବ ମଣ୍ଡଳ ।
ଦେବଗଡ଼ ଜିଲ୍ଲାରେ ମାତିଛନ୍ତି ପଶ୍ଚିମବଙ୍ଗର ନକଲି ଡାକ୍ତର । ବେଆଇନ କ୍ଲିନକ ଖୋଲି ନୀରିହ ସରଳ ଲୋକମାନଙ୍କୁ ଠକୁଛନ୍ତି । ଗତ ୨୬ ତାରିଖ ଦିନ ଦେବଗଡ଼ ଥାନା ଅନ୍ତର୍ଗତ କଦମଦର ଗ୍ରାମରୁ ଜଣେ ନକଲି ଡାକ୍ତରକୁ ଗିରଫ କରିଥିଲା ଦେବଗଡ ଆଦର୍ଶ ଥାନା ପୋଲିସ । ପୁଣି ଦେବଗଡ ଥାନା ଅନ୍ତର୍ଗତ ଟିପିରିସିଂଘା ଗ୍ରାମରେ ଦେବଗଡ ପୋଲିସ ଚଢାଉ କରି ଆଉ ଜଣେ ନକଲି ଡାକ୍ତରକୁ ଗିରଫ କରାଯାଇଛି । ତା ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ମଧ୍ୟ ଜବତ କରିଛି ପୋଲିସ । ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଅର୍ଣ୍ଣବ ମଣ୍ଡଳ ହୋଇଥିବା ଜଣାପଡ଼ିଛି । ଯାହାର ଶିକ୍ଷାଗତ ଯୋଗ୍ୟତା କେବଳ ଯୁକ୍ତ ଦୁଇ ପାସ । ତେବେ ସେ ଦୀର୍ଘ ୨ ବର୍ଷ ହେଲା ଉପାନ୍ତ ଟିପିରିସିଂଘା ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରିବା ସହିତ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା ।
ଟିପିରିସିଂଘା ଗ୍ରାମରେ ବେଆଇନ କ୍ଲିନିକ ଚାଲିଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଦେବଗଡ ଥାନା ଆଇଆଇସି ସୁରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଚଢାଉ କରାଯାଇଥିଲା । ଚଢଉ ସମୟରେ ଗିରଫ ହୋଇଥିବା ନକଲି ଡାକ୍ତର ଅର୍ଣ୍ଣବ କୌଣସି ସଠିକ କାଗଜପତ୍ର କିମ୍ବା ପରିଚୟ ପତ୍ର ଦେଖାଇ ପାରିନଥିଲା । ଯାହା ଫଳରେ ତାକୁ ଗିରଫ କରି ଦେବଗଡ ଥାନାକୁ ଆଣିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମେଡିସିନ ଦୋକାନରୁ ଭେଜାଲ ଔଷଧ ଆଣି ଲୋକଙ୍କ ଚିକିତ୍ସା କରୁଥିଲା ।