ଦେବଗଡ଼: ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଏମିତି ଏକ ଦୁଃଖଦ ଘଟଣା ଦେବଗଡ଼ ରେଞ୍ଜ ଅଧୀନସ୍ଥ କାଲକାଟ ଗ୍ରାମ ଠାରେ ଘଟିଛି । ଦନ୍ତା ଦଳିଦେବା ପରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଦେବଗଡ଼ରେ ଦନ୍ତା ଆକ୍ରମଣରେ ମହିଳା ମୃତ ଗତକାଲି ସନ୍ଧ୍ୟାରେ ଦେବଗଡ଼ ରେଞ୍ଜ ଅଧୀନ କାଲକାଟ ଫଟାଟାଙ୍ଗର ଗ୍ରାମର ଜସ୍ମିନ କୁଜୁର (୫୦) ନାମକ ଜଣେ ମହିଳା ନିଜ ଚାଷକାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ପଡି ଯାଇଥିଲେ । ଦନ୍ତାହାତୀଟି ମହିଳାଙ୍କୁ ଦେଖି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ଓ ଶେଷରେ ଗୋଡ଼ରେ ଦଳି ଦେଇଥିଲା । ଘଟଣା ସ୍ଥଳରେ ମହିଳା ଜଣକ ମୃତ୍ୟୁବରଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳା ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ।
ଏହା ବି ପଢନ୍ତୁ- କୋର୍ଟକୁ ହାଜର ହେବାକୁ ଯାଇ ଫେରିଲେନି ବ୍ୟକ୍ତି, ବିଲରୁ ମିଳିଲା ମୃତଦେହ
ଆଜି ସକାଳୁ କିଛି ଗ୍ରାମବାସୀ ଚାଷ କାମ ପାଇଁ ଜମିକୁ ଯାଉଥିବା ବେଳେ ଜଙ୍ଗଲରେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ଓ ଏସମ୍ପର୍କରେ ତୁରନ୍ତ ଦେବଗଡ଼ ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଦେବଗଡ଼ ବନବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।
ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ପରିବାରକୁ ସରକାରଙ୍କ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଘଟଣା ନେଇ ଦେବଗଡ଼ ରେଞ୍ଜ ଅଫିସର କହିଛନ୍ତି, " ଗତକାଲି ଏକ ଦନ୍ତାହାତୀ ଏହି ଅଞ୍ଚଳରେ ବୁଲାବୁଲି କରୁଥିଲା । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଲୋକଙ୍କୁ ସଚେତନ କରାଇଥିଲା । ତେବେ ଗତକାଲି ମହିଳା ଜଣକ ଜଙ୍ଗଲରୁ ଫେରୁଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡିବାରୁ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ଅନୁସନ୍ଧାନ ପାଇଁ ବନ ବିଭାଗ ଓ ଆମେ ପହଞ୍ଚି ସାରିଛୁ ।"
ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ଅନେକ ଲୋକଙ୍କ ଭିଡ଼ ଜମିଥିବା ବେଳେ ଦନ୍ତା ଆକ୍ରମଣକୁ ନେଇ ସ୍ଥାନୀୟ ଲୋକମାନେ ଏକପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି । ଘଟଣା ସ୍ଥଳରୁ ଜସ୍ମିନ କୁଜୁରଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।
ଇଟିଭି ଭାରତ, ଦେବଗଡ଼