ଓଡିଶା

odisha

ETV Bharat / state

ପିଲାଙ୍କ ଜୀବନ ସହ ଖେଳ: ଛାତ ଫାଟି ରଡ୍‌ ଦିଶିଲାଣି, ଭଙ୍ଗା ଶ୍ରେଣୀଗୃହରେ ଚାଲିଛି ଭବିଷ୍ୟତ ଗଢା - ଦେବଗଡ଼ ଖବର

ଭଙ୍ଗାଘରେ ଚାଲିଛି ପାଠପଢା । ପିଲାଙ୍କ ଭବିଷ୍ୟତ ଗଢା ହେଉଛି ନା ଜୀବନ ସହ ଖେଳ । ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ପଦକ୍ଷେପ ଶୂନ ! ପଢନ୍ତୁ ପୁରା ଖବର

ପିଲାଙ୍କ ଜୀବନ ସହ ଖେଳ
ପିଲାଙ୍କ ଜୀବନ ସହ ଖେଳ

By ETV Bharat Odisha Team

Published : Nov 21, 2023, 6:06 PM IST

ଛାତ ଫାଟି ଆଁ, ଭଙ୍ଗାଘରେ ଚାଲିଛି ଭବିଷ୍ୟତ ଗଢା

ଦେବଗଡ଼:କୁନି କୁନି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳାଯାଉଛି ଖେଳ । ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା । କୋଉଠି ଛାତରୁ କଂକ୍ରିଟ ଫାଟି ଛଡ଼ ତଳକୁ ଓହଳି ପଡ଼ିଲାଣି ତ, ପୁଣି କୋଉଠି କବାଟ ଝରକା ଉଇ ଲାଗି ମାଟିରେ ମିଶିଗଲାଣି । କୋଉ ମୁହୂର୍ତ୍ତରେ କୋଠାଟି ଭୁଷୁଡ଼ି ପଡ଼ିବ କହି ହେବନି । ତଥାପି ଏଭଳି ବିପଦଜ୍ଜନକ ଶ୍ରେଣୀ କୋଠରୀରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ପୁଡାଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୂଆଁଡ଼ିହି ପଞ୍ଚାୟତ ଅନ୍ତର୍ଗତ ପୁଡାଡିହି ଗ୍ରାମରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ । 1984 ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି 55 ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଏଠାରେ ରହିଛି ମାତ୍ର ତିନୋଟି ଶ୍ରେଣୀ କୋଠରୀ । ତେବେ ସେହି କୋଠରୀ ଭୂତ କୋଠରୀରୁ କମ ନୁହେଁ ।

ଦୀର୍ଘବର୍ଷ ହେଲା ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ବିଦ୍ୟାଳୟ ଶ୍ରେଣୀଗୃହ । ତିନୋଟି ଶ୍ରେଣୀଗୃହ ଅବସ୍ଥା ଅତ୍ୟନ୍ତ ବିପଦଶଙ୍କୁଳ ହୋଇପଡ଼ିଛି । ସମସ୍ତ କୋଠରୀର ଛାତ ସମ୍ପୂର୍ଣ୍ଣ ରୂପେ ଫାଟିଯିବା ସହ କଂକ୍ରିଟ ଖଣ୍ଡ ଚଟାଣରେ ବିଛାଇ ହୋଇ ପଡ଼ି ରହିଛି । ଛାତରେ ଲାଗିଥିବା ଲୁହା ଛଡ଼ ମଧ୍ୟ ତଳକୁ ଓହଳି ରହିଛି । କବାଟ ଝରକା ଗୁଡିକରେ ମଧ୍ୟ ଉଇ ଲାଗି ମାଟିରେ ମିଶିବାକୁ ବସିଲାଣି ।

ଏହାମଧ୍ୟ ପଢନ୍ତୁ..ସରକାରଙ୍କ ବିକାଶ ନକ୍ସା ବାହାରେ ବିଦ୍ୟାଳୟ, କୁଡ଼ିଆରେ ଚାଲିଛି ଦେଶର ଭବିଷ୍ୟତ ଗଢ଼ା

ତେବେ ଏହି ଶ୍ରେଣୀଗୃହରେ ପାଠ ପଢିବା ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇଯାଇଥିବାରୁ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ବାରଣ୍ଡାରେ ବସି ଅତି ଦୟନୀୟ ଭାବେ ପାଠ ପଢ଼ୁଛନ୍ତି । ପିଲାଙ୍କ ମଧ୍ୟନ୍ନ ଭୋଜନ ପାଇଁ କୌଣସି ରୋଷେଇ ଗୃହ ନଥିବାରୁ ବିଦ୍ୟାଳୟ ବାରଣ୍ଡାରେ ରୋଷେଇ ଚାଲିଛି । ବିଦ୍ୟାଳୟର ସ୍ଥିତି ଦେଖିଲେ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥା ବାରିହୋଇପଡୁଛି ।


କେବଳ ଏତିକି ନୁହେଁ, ଆଜକୁ 10 ବର୍ଷ ପୂର୍ବରୁ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏହି ବିଦ୍ୟାଳୟକୁ ଦିଆଯାଇଥିବା ଦୁଇଟି ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହି ମାଟିରେ ମିଶିଯିବାକୁ ବସିଲାଣି । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଚରମ ଅବହେଳା ତଥା ସରକାରୀ ଅନୁଦାନ ବାଟମାରଣା କାରଣରୁ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇନପାରି ପରିତ୍ୟକ୍ତ ଭାବେ ପଡ଼ି ରହିଛି ।

ବିଦ୍ୟାଳୟର ଦୁରାବସ୍ଥା ସମ୍ପର୍କରେ ବିଦ୍ୟାଳୟ କମିଟି ତଥା ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ଆସୁଛନ୍ତି । ଅନ୍ତତଃ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ତିନୋଟି ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ବିଡମ୍ବନା ଯେ, ଏହି ବିଦ୍ୟାଳୟର ସମସ୍ୟାକୁ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗୀୟ କତ୍ତୃପକ୍ଷ ଏଯାଏଁ ଅଣଦେଖା କରି ଆସିଥିବା ଅଭିଯୋଗ ହେଉଛି ।
ଗୋଟିଏ ପକ୍ଷରେ ପ୍ରାଥମିକ ଶିକ୍ଷାର ଉନ୍ନତି ନିମନ୍ତେ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଭିତ୍ତିଭୂମିର ବିକାଶ ପାଇଁ କୋଟିକୋଟି ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ ହେଉଛି । ମାତ୍ର ପୁଡାଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ସରକାରଙ୍କ ଶିକ୍ଷା ଯୋଜନା ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ଜଳଜଳ ହୋଇ ଦିଶୁଛି ।

ଦେବଗଡ଼, ଇଟିଭି ଭାରତ

ABOUT THE AUTHOR

...view details