ଦେବଗଡ଼:ଜିଲ୍ଲା ବାରକୋଟ ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ଜିଲ୍ଲାସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ । ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ କଳାକାର ମାନେ ଆସି ସେମାନଙ୍କ କଳା ପ୍ରଦର୍ଶନ କରିବା ସହ କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦ ପକ୍ଷରୁ ଆଜି ବାରକୋଟ ବ୍ଲକ ଗୋଳାବନ୍ଧ ଗ୍ରାମ ଠାରେ କଳାକାରଙ୍କ ମହାସମାବେଶ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାର ତିନୋଟି ବ୍ଲକର ଲୋକକଳା ଓ ସାଂସ୍କୃତିକ କଳାକାର ମାନଙ୍କର ଉନ୍ନତି ମୂଳକକାର୍ଯ୍ୟ ତଥା ଲୋକକଳାର ପ୍ରଚାର ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବା ଲକ୍ଷରେ ଏହି ମହାସମାବେଶ ହୋଇଥିଲା ।
ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ମନୋରଞ୍ଜନ ସୂତାର ଯୋଗଦେଇ ସମାଜରେ ଲୋକକଳାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଲୋକକଳା ଆମ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ । ଆମ ରାଜ୍ୟର ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା, ପୂଜାପାର୍ବଣ ଓ ମେଳା ମହୋତ୍ସବ ଆଦି ପାଳନ ସମୟରେ ଲୋକଗୀତ, ଲୋକନୃତ୍ୟ, ସଂକୀର୍ତ୍ତନ ପରିବେଷଣ ଆମ ଜୀବନକୁ ଉତ୍ସବ ମୁଖର କରିଥାଏ ବୋଲି ସେ କହିଥିଲେ ।
ଆହୁରୀ ମଧ୍ୟ ସେ କହିଥିଲେ ," ଏଥିରେ କଳାକାର ମାନେ ନିଜର ପ୍ରଦର୍ଶନ କରିବା ସହ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି । ଲୋକକଳା ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବହୁ ଉପାଦେୟ ଦିଗଦର୍ଶନ ପ୍ରାପ୍ତ ହୋଇଥାଏ । ତେଣୁ ସରକାର ଗ୍ରାମ ଠାରୁ ସହର ଯାଏ କଳାକାର ମାନଙ୍କୁ ସଂଗଠିତ କରି ସେମାନଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯଥା କଳାକାର ଭତ୍ତା, କଳାକାର ସହାୟତା ରାଶି ସରକାର ଯୋଗାଇ ଦେଉଛନ୍ତି ।"