ଦେବଗଡ: ବାଡ଼ ହୋଇ ଫସଲ ଖାଇଯିବା ଭଳି ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଲକ୍ଷାଧିକ ଟଙ୍କା । ବର୍ଷ ବର୍ଷ ଧରି ନିଜ କଷ୍ଟ ଉପାର୍ଜିତ ଜମା ଟଙ୍କା ଆଉ ଫେରି ପାଇଲେନି ଶତାଧିକ ଜମାକାରୀ । ଏମିତି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତରେ ଥିବା ସମ୍ବଲପୁର ଜିଲ୍ଲା ସେଣ୍ଟ୍ରାଲ କୋ-ଅପରେଟିଭ ମିନି ବ୍ୟାଙ୍କରେ ।
ଆଜକୁ 35 ବର୍ଷ ପୂର୍ବରୁ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବା ଲକ୍ଷ୍ୟରେ ଝରାଗୋଗୁଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରକାର ଖୋଲିଥିଲେ ଏହି ବ୍ୟାଙ୍କ । ଏହି ପଞ୍ଚାୟତର ଆଖପାଖ ଅଞ୍ଚଳରେ ବ୍ୟାଙ୍କ ସେବା ନଥିବାରୁ ପଞ୍ଚାୟତବାସୀ ଏହି ମିନି ବ୍ୟାଙ୍କ ଉପରେ ନିର୍ଭର କରି ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରି ଆସୁଥିଲେ । ହେଲେ ଆଜକୁ ଦୀର୍ଘ 12 ବର୍ଷ ହେବ ଏହି ମିନିବ୍ୟାଙ୍କରେ ଝୁଲୁଛି ତାଲା । ନା ଅଛି ବ୍ୟାଙ୍କ, ନା ଅଛନ୍ତି କର୍ମଚାରୀ । ଗତ 2008 ମସିହାରେ ଏହି ବ୍ୟାଙ୍କରେ ଅବସ୍ଥାପିତ ଥିବା ତତ୍କାଳୀନ ସେକ୍ରେଟାରୀ 30 ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ତଦନ୍ତ ଆଳରେ ବ୍ୟାଙ୍କଟିକୁ ବନ୍ଦ କରି ଦେଇଥିଲେ । ଫଳରେ ଉକ୍ତ ଅଞ୍ଚଳର ଶତାଧିକ ସଂଖ୍ୟାରେ ଥିବା ଚାଷୀ, ମୂଲିଆ ଓ ଗରିବ ଖଟିଖିଆ ଲୋକେ ମିନି ବ୍ୟାଙ୍କରେ ରଖିଥିବା ନିଜ କଷ୍ଟ ଉପାର୍ଜିତ ସଞ୍ଚୟ ଟଙ୍କାକୁ ଆଉ ଫେରସ୍ତ ପାଇପାରିଲେ ନାହିଁ । ଯାହାକୁ ନେଇ ଜମାକାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ।