ଦେବଗଡ଼:ପର୍ଯ୍ୟଟନ ସ୍ଥଳର ଗନ୍ତାଘର ଦେବଗଡ଼ ଜିଲ୍ଲା । ସବୁଜ ବଣ ପାହାଡ଼ ପରିବେଷ୍ଟିତ ଏହି ଜିଲ୍ଲାରେ ରହିଛି ଛୋଟ ବଡ଼ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ । ସେଥିମଧ୍ୟରୁ ଦେଓଝରଣ ଜଳପ୍ରପାତ ଅନ୍ୟତମ । ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ସୁନ୍ଦର ଜଳପ୍ରପାତକୁ ପ୍ରକୃତିରାଣୀର ଅନନ୍ୟ ଉପହାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଏହା 'ବଣ ମଲ୍ଲୀ ବଣରେ ଫୁଟି ମଉଳି ଯିବା' ଭଳି ଅବସ୍ଥା ହୋଇଛି ।
ଦେବଗଡ଼ ସହର ଠାରୁ ସମ୍ବଲପୁର ଅଭିମୁଖେ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ଠାରୁ 20 କିଲୋମିଟର ଦୂରରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେଓଝରଣ ଜଳପ୍ରପାତ । ସବୁଜ ବନାନୀ ପରିବେଷ୍ଟିତ ପ୍ରାକୃତିକ ପରିବେଶରେ ଥିବା ଏହି ଜଳପ୍ରପାତର ଶୋଭା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଚିରସ୍ରୋତା ପାହାଡିଆ ଝରଣା କୁଳୁକୁଳୁ ନାଦରେ ପ୍ରସ୍ତରମାଳା ଅତିକ୍ରମ କରି ଭୂପୃଷ୍ଟ ଉପରକୁ ଝରି ପଡୁଥିବା ଓ ସେଠାରେ ସୃଷ୍ଟି ହୋଇଥିବା ଏକ ଅଗଭୀର ଗଣ୍ଡର ନୀଳ ଜଳରାଶିର ଅପୂର୍ବ ଦୃଶ୍ୟ ଦେଖଣାହାରୀଙ୍କୁ ଆମୋଦିତ କରିଥାଏ । ପ୍ରପାତ ଚତୁଃପାର୍ଶ୍ଵକୁ ଘେରି ରହିଥିବା ସବୁଜ ବନାନୀ ଓ ପଶୁପକ୍ଷୀଙ୍କ କଳରାବ ପରିବେଶକୁ ଆହୁରି ଅଧିକ ଆକର୍ଷଣୀୟ କରିଥାଏ ।
ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ ଏହି ସ୍ଥଳୀକୁ ବଣଭୋଜି କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ବିଶେଷକରି ନୂଆବର୍ଷ ଦିନ ଏହି ପର୍ଯ୍ୟଟନସ୍ଥଳୀଟି ଲୋକାରଣ୍ୟ ହୋଇଥାଏ । ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଯେ, ଏହି ମନୋରମ ପର୍ଯ୍ୟଟନସ୍ଥଳୀଟି ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳକୁ ଆସିପାରିନାହିଁ । ବଣ ମଲ୍ଲୀ ବଣରେ ଫୁଟି ମଉଳି ଗଲା ଭଳି ଏହି ଜଳପ୍ରପାତଟି ପ୍ରଶାସନିକ ଅବହେଳା କାରଣରୁ ଏ ପର୍ଯ୍ୟନ୍ତ ଲୋକଲୋଚନରୁ ଦୂରରେ ରହିଯାଇଛି ।