ଓଡିଶା

odisha

ETV Bharat / state

ଦେବଗଡ ଟ୍ରିପଲ ମର୍ଡରର ପର୍ଦ୍ଦାଫାସ, 4 ଗିରଫ - ଦେବଗଡ଼ ଟ୍ରିପର ମର୍ଡର ଘଟଣାରେ 4 ଗିରଫ

ଦେବଗଡ଼ ଜିଲ୍ଲା ବାଲିନାଲି ଜଙ୍ଗଲରେ ହୋଇଥବା ଟ୍ରିପଲ ମର୍ଡର ଘଟଣାର ପର୍ଦାଫାସ କଲା ଦେବଗଡ଼ ପୋଲିସ । 4 ଅଭିଯୁକ୍ତ ଗିରଫ, ଜଣେ ଫେରାର । ଅଧିକ ପଢ଼ନ୍ତୁ...

ଖୋଲିଲା ଦେବଗଡ଼ ଟ୍ରିପର ମର୍ଡରର ଗୁମର, 4 ଗିରଫ

By

Published : Nov 23, 2019, 8:55 PM IST

ଦେବଗଡ଼: ପର୍ଦ୍ଦାଫାସ ହେଲା ଦେବଗଡ଼ ଜିଲ୍ଲା ବାଲିନାଲି ଜଙ୍ଗଲରେ ହୋଇଥବା ଟ୍ରିପଲ ମର୍ଡର ଘଟଣା । ମୃତକଙ୍କ ସ୍ବାମୀ, ଶାଶୁ ଶ୍ବଶୁର ସମେତ 4 ଅଭିଯୁକ୍ତ ଏହି ମାମଲାରେ ଗିରଫ ହୋଇଥିବା ବେଳେ ଜଣେ ଫେରାର । ବୈବାହିକ ସମ୍ପର୍କରେ ତିକ୍ତତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି ।

ଖୋଲିଲା ଦେବଗଡ଼ ଟ୍ରିପର ମର୍ଡରର ଗୁମର, 4 ଗିରଫ

ଜିଲ୍ଲାର ବାରକୋଟ ଥାନା ଅନ୍ତର୍ଗତ ବାଲିଜୋରି ଓ ଜାମୁନାଳି ସଂରକ୍ଷିତ ଜଙ୍ଗଲରୁ ଗତ 8 ତାରିଖ ଦିନ ମାଟି ତଳୁ ଉଦ୍ଧାର ହୋଇଥିଲା ଜଣେ ମହିଳାଙ୍କ ସମେତ ଦୁଇଜଣ ଶିଶୁକନ୍ୟାଙ୍କ ଅର୍ଦ୍ଧ ଗଳିତ ମୃତଦେହ । ତେବେ ଘଟଣାର ତଦନ୍ତ କରି ଶନିବାର ଏହାର ପର୍ଦ୍ଦାଫାସ କରିଛି ବାରକୋଟ ପୋଲିସ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ବେଳେ, ଏଥିରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦେବଗଡ଼ ଏସପି ରାହୁଲ ଜୈନ ।

ସୂଚନା ଅନୁଯାୟୀ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାରକୋଟ ଥାନା ଅନ୍ତର୍ଗତ ବଡ଼ତାଇଲା ଗାଁର ବିକ୍ରମ ପ୍ରଧାନ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ନିକି ଅଲିୟସ ନାମକ ଜଣେ ଯୁବତୀଙ୍କୁ 4 ବର୍ଷ ପୂର୍ବରୁ ବିବାହ କରିଥିଲା । ତାଙ୍କର ଦୁଇଟି କନ୍ୟା ସନ୍ତାନ ଥିଲେ । ବିକ୍ରମ ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ପରିବାର ଲୋକେ ଯୁବତୀ ଜଣକୁ ଗ୍ରହଣ କରୁ ନଥିଲେ । ଅନ୍ୟ ପକ୍ଷରେ ସ୍ବାମୀ ବିକ୍ରମର ଅନ୍ୟ କାହା ସହିତ ଅବୈଧ ସମ୍ପର୍କ ଥିବା ନେଇ ମଧ୍ୟ ସ୍ତ୍ରୀ ସନ୍ଦେହ କରି ଆସୁଥିଲେ। ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଓ ପରିବାର ଲୋକଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗି ରହିଥିଲା । ଏହି କାରଣରୁ ସ୍ବାମୀ ବିକ୍ରମ ଓ ତାଙ୍କ ମା ବାପା ସବୁଦିନ ପାଇଁ ସ୍ତ୍ରୀ ନିକିକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ଏହି ଯୋଜନା ପ୍ରସ୍ତୁତ କରିଥିଲା ଆର୍ମିରେ ଚାକିରୀ କରୁଥିବା ବିକ୍ରମର ଭାଇ ଚିନ୍ମୟ ଶେଖର ପ୍ରଧାନ । ଯୋଜନା ମୁତାବକ ସମରଖାଇ ଗାଁର ଅମର ସାହୁଙ୍କ ସହଯୋଗରେ ବାଲିଜୋରି ଓ ଜମୁନାଳି ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ପୂର୍ବରୁ ଏକ ଗାତ ଖୋଳା ଯାଇଥିଲା । ଗତ ଅକ୍ଟୋବର ମାସ 17 ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ବିକ୍ରମ ନିଜ ସ୍ତ୍ରୀ ନିକି ଓ ଦୁଇ ଝିଅକୁ ବିଭିନ୍ନ ଆଳ ଦେଖାଇ ନିଜ ଗାଁ ବଡ଼ଟାଇଲାକୁ ଯିବାକୁ କହି ଜଙ୍ଗଲକୁ ନେଇ ଆସିଥିଲା । ଜଙ୍ଗଲରେ ବିକ୍ରମ ତା ଭାଇ ଚିନ୍ମୟ ଓ ମା ବାପା ସହିତ ମିଶି ନିକିକୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିବାପରେ ଦୁଇ ଶିଶୁ କନ୍ୟାକୁ ମଧ୍ୟ ଅମାନୁଷିକ ଭାବେ ତଣ୍ଟି କାଟି ହତ୍ୟା କରି ପୂର୍ବରୁ ପ୍ରସ୍ତୁତ ଥିବା ଗାଡ଼ରେ ପୋତି ଦେଇଥିଲେ ।

ଏହାର କିଛିଦିନ ପରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା କିଛି ଲୋକ ଜଣେ ମହିଳାଙ୍କ ଗୋଡ଼ ମାଟି ଉପରକୁ ବାହାରି ପଡିଥିବା ଓ ଦୁର୍ଗନ୍ଧ ହେଉଥିବା ଦେଖି ଏ ସମ୍ପର୍କରେ ବାରକୋଟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ସାଇଣ୍ଟିଫିକ ଟିମ ଆସି ଗତ ନଭେମ୍ବର 8 ତାରିଖ ଦିନ ମାଟିତଳୁ ଏକ ମହିଳାଙ୍କ ସମେତ 2 ଜଣ ଶିଶୁକନ୍ୟାର ଗଳିତ ମୃତଦେହ ଉଦ୍ଧାର କରିଥିଲେ । ଏହାପରେ ଏସଡିପିଓ ଏବଂ ବାରକୋଟ ଆଇଆଇସିଙ୍କ ନେତୃତ୍ବରେ ଏକାଧିକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ଓ ଶେଷରେ ପୋଲିସକୁ ଏହି ସଫଳତା ମିଳିବା ସହିତ ଏହି ବହୁ ଚର୍ଚ୍ଚିତ ଘଟଣାର ପର୍ଦାଫାଶ ହୋଇଛି । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନ ଓ ତାର ମା, ବାପା ସହିତ ଗାତ ଖୋଳିବାରେ ସହଯୋଗ କରିଥିବା ମର ସାହୁ ଆଦି 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏବେବି ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ଚିନ୍ମୟ ପ୍ରଧାନ ଫେରାର ଅଛି । ଏହି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆର୍ମି ମୁଖ୍ୟାଳୟ ସହିତ ପୋଲିସ ଯୋଗାଯୋଗ କରିଥିବା ଏସପି ରାହୁଲ ଜୈନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇ ଦେଇଥିଲା ।

ଦେବଗଡ଼ରୁ ସୋରଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details