ଓଡିଶା

odisha

ETV Bharat / state

ଜିଲ୍ଲାରେ କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ପାଳିତ, ମୁଠି ଅନୁକୂଳ କଲେ ଚାଷୀକୁଳ - ଚାଷୀକୁଳ

ଦେବଗଡ଼ ଜିଲ୍ଲାରେ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଅକ୍ଷୟ ତୃତୀୟା । ମୁଠି ଅନୁକୂଳ କଲେ ଚାଷୀକୁଳ । ଅଧିକ ପଢନ୍ତୁ

Deogarh people celebrate Akshaya Tritiya
Deogarh people celebrate Akshaya Tritiya

By

Published : Apr 23, 2023, 4:43 PM IST

ଜିଲ୍ଲାରେ କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ପାଳିତ, ମୁଠି ଅନୁକୂଳ କଲେ ଚାଷୀକୁଳ

ଦେବଗଡ଼:କୃଷିପ୍ରଧାନ ଜିଲ୍ଲା ଦେବଗଡ଼ରେ ପାଳିତ ହୋଇଯାଇଛି ପବିତ୍ର ଅକ୍ଷୟ ତୃତୀୟା ପର୍ବ । ଏହି କୃଷିଭିତ୍ତିକ ପର୍ବକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି ଜିଲ୍ଲାର ଚାଷୀ ଭାଇମାନେ । ଆଜି ବୈଶାଖ ଶୁକ୍ଳ ତୃତୀୟ ଦିନ ସକାଳୁ ଜିଲ୍ଲାର ଚାଷୀମାନେ ନୂଆ ବସ୍ତ୍ର ପରିଧାନ କରି ନିଜନିଜ ଚାଷଜମିରେ ପୂଜାର୍ଚ୍ଚନା କରିବା ପରେ ମୁଠି ଅନୁକୂଳ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ହିଞ୍ଜିଳିତା ଗ୍ରାମରେ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଇଛି । ବାରକୋଟ ବ୍ଲକ ଅନ୍ତର୍ଗତ ହିଞ୍ଜିଲିତା ଗ୍ରାମରେ ପାଳିତ ହୋଇଯାଇଛି କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଓ କୃଷକ ଦିବସ । ଏଥିରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଓ କୃଷି ଅଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପାଣିଗ୍ରାହୀ ଓ ପ୍ରଶାସନିକ ଅଧିକାରୀମାନେ ଚାଷୀଭାଇମାନଙ୍କୁ କୃଷିକାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ ।

ଏହା ବି ପଢନ୍ତୁ- Akshaya Tritiya: ଅକ୍ଷୟ ତୃତୀୟା ଅବସରରେ ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ଏହା ସହିତ ପାରମ୍ପରିକ ରୀତିରେ ଚାଷଜମିରେ ପୂଜାର୍ଚ୍ଚନା କରିବା ପରେ ହଳ ବୁଲାଇ ମୁଠି ଅନୁକୂଳ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ବିଭିନ୍ନ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀଭାଇ ଉପସ୍ଥିତ ଥିଲେ । ଅନୁରୂପ ଭାବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀ ସଂଗଠନ ପକ୍ଷରୁ ଏହି ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଜିଲ୍ଲାରେ ବିଗତ କିଛି ଦିନ ହେଲା ମଧ୍ୟମ ବର୍ଷା ସାଙ୍ଗକୁ କୋହଳା ପାଗ ରହିଥିବାରୁ ଓ ଚାଷକାର୍ଯ୍ୟ ପାଇଁ ପାଗ ଅନୁକୂଳ ଥିବାରୁ ଚାଷୀ ଭାଇମାନେ ଉତ୍ସାହର ସହିତ ନିଜନିଜ ଚାଷଜମିରେ ହଳ ଧରି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି ।

ଜିଲ୍ଲାର ଚାଷୀ ଭାଇମାନେ ଆଜି ସକାଳୁ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଆଜି ଦିନଟି ଶୁଭଦିନ ଭାବେ ମନେକରି ଏହିଦିନ ଚାଷକାର୍ଯ୍ୟ ସହିତ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତ ପ୍ରଭୃତି ଶୁଭକର୍ମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଚାଷୀ ନୂଆ ବସ୍ତ୍ର ପିନ୍ଧି ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ, ବିହନଭରା ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇଥିଲେ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଜମିରେ ହଳ ବୁଲାଇ ମୁଠାମୁଠା ବିହନ ବୁଣିଥିଲେ ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details