ଦେବଗଡ: ଟଙ୍କା ହଡପ ଅଭିଯୋଗରେ ବନ୍ଧା ହେଲେ ଦେବଗଡ଼ ଜିଲ୍ଲା ମତ୍ସ୍ୟ ବିଭାଗର ପୂର୍ବତନ ବରିଷ୍ଠ କିରାଣୀ ପ୍ରଦୀପ କୁମାର ପାତ୍ର । ମତ୍ସ୍ୟ ବିଭାଗର ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ମେ' ମାସ 25 ତାରିଖରେ ପ୍ରଦୀପ କୁମାର ଠକେଇ ଓ ଜାଲିଆତି କରି 13 ଲକ୍ଷ 20 ହଜାର ଟଙ୍କା ଆତ୍ମସାତ କରିଥିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିଷାନ । ଉକ୍ତ ଘଟଣାର ତଦନ୍ତ କରି ପ୍ରଦୀପ କୁମାର ପାତ୍ରଙ୍କୁ ପୋଲିସ ସୋମବାର ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ମତ୍ସ୍ୟ ବିଭାଗର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦେବଗଡ଼ ଶାଖାରେ ଥିବା ଜମାଖାତାକୁ ବିଭାଗୀୟ ଅଧିକାରୀ ଗତ 2022 ଜୁଲାଇ 1 ତାରିଖ ଯାଞ୍ଚ କରିବା ସମୟରେ 8 ଲକ୍ଷ 86 ହଜାର 780 ଟଙ୍କା ଥିଲା । କିନ୍ତୁ 2023 ମାର୍ଚ୍ଚ 31 ତାରିଖରେ ଯାଞ୍ଚ କରିବାରୁ ମାତ୍ର 7 ହଜାର 131 ଟଙ୍କା ଥିଲା । ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ବ୍ୟାଙ୍କ୍କୁ ଯାଇ ସରକାରୀ ଜମା ଖାତାର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ । ଏହାପରେ ଜାଲ ଦସ୍ତଖତ ମାଧ୍ୟମରେ ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଥିଲା । ପୂର୍ବତନ ମୁଖ୍ୟ କିରାଣୀ ପ୍ରଦୀପ୍ତ କୁମାର ପାତ୍ର ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ନକଲି ଦସ୍ତଖତ କରି ଚେକ୍ ମାଧ୍ୟମରେ 8 ଲକ୍ଷ 79 ହଜାର ଟଙ୍କା ଉଠାଇ ନିଜ ଜମାଖାତାରେ ଜମା କରିଥିବା ସେ ଅଭିଯୋଗ କରିଥିଲେ । ଏହାସହିତ ପ୍ରଦୀପ କୁମାର ପାତ୍ର ମତ୍ସ୍ୟ ପୋଖରୀ ଯୋଜନା, ତାଲିମ, ଲିଜ ଭେଲ୍ସ୍ ଏଣ୍ଡ ରୟାଲିଟି ଆଦି ବାବଦରେ 4 ଲକ୍ଷ 41 ହଜାର ଟଙ୍କା ଆତ୍ମସାତ କରିଥିବା ନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ପେନସନ ଲୋନ ଆଳରେ ୮କୋଟି ଠକେଇ, ସିଭିଲ ସପ୍ଲାୟ ଇନସ୍ପେକ୍ଟର ସମେତ ୨ ଗିରଫ