ଦେବଗଡ଼:ଜିଲ୍ଲା ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟକୁ କେନ୍ଦ୍ର କରି ବୃଦ୍ଧି ପାଇବାରେ ଲାଗିଛି ଜନ ଅସନ୍ତୋଷ । ଜିଲ୍ଲାବାସୀଙ୍କ ଠାରୁ ଟୋଲ ଟ୍ୟାକ୍ସ ଛାଡ଼ କରାନଗଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସଂଗଠନ ।
ତେବେ ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଛି ମୁମ୍ବାଇ-କୋଲକାତା 49 ନମ୍ବର ଜାତୀୟ ରାଜପଥ । ଏହି ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ, ଗତ କିଛିଦିନ ହେଲା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବାରକୋଟ ବ୍ଲକ ଅନ୍ତର୍ଗତ ବଡ଼କୁଦରଠାରେ ଟୋଲଗେଟ ବସାଇ ଯାନ ବାହାନଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାରେ ଚଳାଚଳ କରୁଥିବା ସ୍ଥାନୀୟ ଯାନବାହନଠାରୁ ମଧ୍ୟ ମୋଟା ଅଙ୍କର ଟୋଲ ଟ୍ୟାକ୍ସ ଆଦାୟ କରାଯାଉଛି । ଫଳରେ କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଯାତାୟତ କରୁଥିବା ଜିଲ୍ଲାବାସୀ ଅଯଥା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ଜିଲ୍ଲାବାସୀ । ଅନ୍ତତଃ ଜିଲ୍ଲାବାସୀଙ୍କୁ ଏହି ଟୋଲ ଟ୍ୟାକ୍ସରୁ ବାଦ ଦିଆଯିବାକୁ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସଂଗଠନ ।