ଦେବଗଡ: ମାନ୍ଦା ପଡିଛି ଫୁଲ ବେପାର । ଖାଁ ଖାଁ ଲାଗୁଛି ଫୁଲ ବଗିଚା । ନା ଏଠାକୁ ଆସୁଛନ୍ତି ଗ୍ରାହକ ନା ରପ୍ତାନି ହେଉଛି ରଙ୍ଗବେରଙ୍ଗର ଫୁଲ । କୋରୋନା ସଂକ୍ରମଣ ନେଇ ଜାରି ରହିଥିବା ଲକଡାଇନ ର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଛି । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଭାଟସିଂ ଗାଁରେ ରହିଛି ଜିଲ୍ଲାର ଏକାଧିକ ଫୁଲ ଉଦ୍ୟାନ ।
ଜିଲ୍ଲାର ରାଜକିଶୋର ପ୍ରଧାନ ନାମକ ଜଣେ ସଫଳ ଫୁଲଚାଷୀ ନ୍ୟାସନାଲ ହର୍ଟିକଲଚର ମିଶନ ସହାୟତା ରେ ଗତ 2017 ମସିହାରେ ଆରମ୍ଭ କରିଛନ୍ତି ଏହି ଫୁଲ ଉଦ୍ୟାନ । ପ୍ରାୟ ଦଶ ଏକର ପରିମିତ ଏହି ଉଦ୍ୟାନରେ ପ୍ରତିଦିନ ଗୋଲାପ, ଜର୍ବେରା , ଆଦି ଅନେକ ରକମର ରଙ୍ଗବେରଙ୍ଗ ଫୁଲ ଉତ୍ପାଦିତ ହୋଇଥାଏ । ଏହି ଫୁଲ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଯଥା କଟକ , ଭୁବନେଶ୍ବର, ରାଇରକେଲା, ସମ୍ବଲପୁର ସମେତ ସୁଦୂର କଲିକତା ଆଦି ଅଞ୍ଚଳକୁ ରପ୍ତାନି ହୋଇଥାଏ । ବିଭିନ୍ନ ଅଞ୍ଚଳକୁ ଫୁଲ ରପ୍ତାନି କରି ଓ ସ୍ଥାନୀୟ ବଜାରରେ ଫୁଲ ବିକ୍ରି କରି ଚାଷୀ ବେଶ ଲାଭବାନ ହେବା ସାଙ୍ଗକୁ ଏହି ଉଦ୍ୟାନ ଉପରେ ନିର୍ଭର କରି ବର୍ଷ ତମାମ ପରିବାର ପ୍ରତିପୋଷଣ କରିଥାନ୍ତି 35 ଟି ଶ୍ରମିକ ପରିବାର । ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ରାଜ୍ୟରେ ଗତ 15 ତାରିଖ ଠାରୁ ଲାଗୁ କରିଥିବା ଲକଡାଉନ ଯୋଗୁଁ ଏଥିରେ ବ୍ୟାପକ କ୍ଷତି ସହୁଛନ୍ତି ଫୁଲଚାଷୀ ।