ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ଵତ୍ତ୍ଵାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସର୍ଭେ ଏବଂ ସେଟେଲ୍ମେଣ୍ଟ ଆକ୍ଟ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳିକରଣ ପ୍ରକ୍ରିୟା ସମୟ ସାପେକ୍ଷ ଓ ଖର୍ଚ୍ଚବହୁଳ ଥିଲା । ଏହି ପ୍ରକ୍ରିୟା ଅଧୀନରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ମାନଚିତ୍ରଗୁଡ଼ିକ ତ୍ରୁଟିମୁକ୍ତ ନଥିଲା । ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥିଲା । ପାରମ୍ପରିକ ପଦ୍ଧତିରେ ବହୁଳ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଥିଲା । ଏଥିରେ ମନୁଷ୍ୟକୃତ ତ୍ରୁଟି ରହିଯାଉଥିଲା । କାରଣ ୧୯୫୮ ମସିହାରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇନଥିଲା ।
ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ଵତ୍ତ୍ଵାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ଏହିସବୁ ଅସୁବିଧା ଦୂର କରିବା ସହ ଗୁଣବତ୍ତା ଓ ସ୍ଵଚ୍ଛତା ରକ୍ଷା ସହ ଜମିଜମାଜନିତ ଅଭିଯୋଗର ସମାଧାନ କରି ଆବଶ୍ୟକ ସମୟସୀମାକୁ ହ୍ରାସ କରିବା ସହ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ରାଜ୍ୟରେ ସର୍ଭେ ଓ ସମାଧାନ କାର୍ଯ୍ୟ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ସ୍ଵତନ୍ତ୍ର ସର୍ଭେ ଓ ସେଟେଲ୍ମେଣ୍ଟ ଆକ୍ଟ ୨୦୧୨ ( ଓଏସ୍ ଆଣ୍ଡ ଏସ୍ ଆକ୍ଟ ) ପ୍ରଣୟନ କରିଥିଲେ । ଏହି ଅଧିନିୟମ ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ସରକାର ଜମିଜମା ସଂକ୍ରାନ୍ତୀୟ ତ୍ରୁଟି ସଂଶୋଧନ ଓ ସମାଧାନ ଦିଗରେ ଦୃଷ୍ଟି ଦେଲେ । ଯାହାକି ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵୀକୃତ ଅଟେ । ତଦନୁସାରେ ହାଇଟେକ୍ ସର୍ଭେ ପାଇଁ ୨୦୧୨ରେ ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ଓଡ଼ିଶାର ପାଞ୍ଚଟି ଜିଲ୍ଲାକୁ ଓଏସ୍ ଆଣ୍ଡ ଏସ୍ ଆକ୍ଟ ୨୦୧୨ରେ ଅନ୍ତର୍ଭୁକ୍ତ କରାଗଲା । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଜମିଜମାର ସର୍ଭେ ଓ ସମାଧାନ କରିବା ପାଇଁ ଆଇଆଇସି ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ସଂସ୍ଥାକୁ ଖୋଲା ଟେଣ୍ଡର ମାଧ୍ୟମରେ ଚୟନ କରାଯାଇଛି ।
ଗ୍ରାମ ମାନଚିତ୍ରଗୁଡ଼ିକ ପ୍ରସ୍ତୁତ ସହ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦାୟିତ୍ବ ଦିଆଗଲା । ୨୦୧୭ ଏବଂ ୨୦୧୮ରେ ଓଏସ୍ ଆଣ୍ଡ ଏସ୍ ଆକ୍ଟ ଅନୁସାରେ ୨୦୧୨ ଏବଂ ୨୦୧୮ରେ ଦେବଗଡ଼ ଜିଲ୍ଲାର ୭୬୨ଟି ଗ୍ରାମକୁ ସୂଚିତ କରାଗଲା । ଜିଲ୍ଲାର ସମସ୍ତ ଗ୍ରାମର ଆକାଶମାର୍ଗରୁ ନିଆଯାଇଥିବା ଫଟୋଗ୍ରାଫି ଆଧାରରେ ସମସ୍ତ ପ୍ଲଟ ସହିତ ଗ୍ରାମର ମାନଚିତ୍ର ପ୍ରସ୍ତୁତ କରାଯାଇଛି । ମାନଚିତ୍ର ପ୍ରସ୍ତୁତି ପରେ ପ୍ରାଥମିକ ରେକର୍ଡ ଅଫ୍ ରାଇଟସ୍ ସହିତ ଜମି ମାନଚିତ୍ରଗୁଡ଼ିକ ଭାଗଚାଷୀଙ୍କ ଆପରି ଦାଖଲ ପାଇଁ ପ୍ରଦାନ କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ସଂପୃକ୍ତ ତହସିଲଦାରଙ୍କ ଦ୍ଵାରା ପ୍ରାଥମିକ ରେକର୍ଡ ଅଫ୍ ରାଇଟସ୍ ଉପରେ ଆପତ୍ତି ଉଠାଇବା ପରେ ସ୍ଵତ୍ତ୍ଵାଧିକାର ଡ୍ରାଫ୍ଟ ପ୍ରକାଶିତ ହୋଇଥିଲା । ଡ୍ରାଫ୍ଟ ସ୍ଵତ୍ତ୍ଵାଧିକାର ଉପରେ ଆପରି ନିୟମ ଅନୁଯାୟୀ ଉପଜିଲ୍ଲାପାଳଙ୍କ ଦ୍ବାରା ସମାଧାନ ହୋଇଥିଲା । ପରେ ଦେବଗଡ଼ ଜିଲ୍ଲାର ୫୫୪ଟି ଗ୍ରାମକୁ ଜିଲ୍ଲାପାଳଙ୍କ ସହମତି ଓ ସ୍ଵାକ୍ଷରରେ ଅନ୍ତିମ ସ୍ଵତ୍ତ୍ଵାଧିକାର ଏବଂ ମାନଚିତ୍ର ପ୍ରକାଶ ପାଇଥିଲା । ଯେଉଁ ଗ୍ରାମଗୁଡ଼ିକର ସ୍ଵତ୍ତ୍ଵାଧିକାର ସଂଶୋଧିତ ହୋଇଯାଇଛି, ସେସବୁ ଶେଷ ପର୍ଯ୍ୟାୟରେ ପହଞ୍ଚିଲା । ଏହି ମାନଚିତ୍ରଗୁଡ଼ିକ ତ୍ରୁଟିଶୂନ୍ୟ ହୋଇଛି । ପ୍ରତ୍ୟେକ ପ୍ଲଟ୍ ସଂଯୋଜନା ମାଧ୍ୟମରେ ସୂଚିତ ହୋଇଛି । ଯାହାକି ପୂର୍ବ କ୍ୟାନ୍ଷ୍ଟାଲ୍ ମାନଚିତ୍ରରେ ନଥିଲା ।
ଏହି ସର୍ବେକ୍ଷଣ ଓ ସମାଧାନରେ ଅତ୍ୟାଧୁଡ଼ିକ ଜ୍ଞାନକୌଶଳର ବ୍ୟବହାର ହୋଇଛି । ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନର ଆବଶ୍ୟକତା ନାହିଁ । ପ୍ରତ୍ୟେକ ପର୍ଯ୍ୟାୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଛି । ଅନ୍ତିମ ରେକର୍ଡ ଅଫ୍ ରାଇଟସ୍ରେ ଯେକୌଣସି ତ୍ରୁଟି ମଧ୍ୟ ଅଧିନିୟମ ଅନୁଯାୟୀ ଜିଲ୍ଲାର ଏଡିଏମ୍ ପୂର୍ବରୁ ସଂଶୋଧନ ମାମଲା ଦାଖଲ କରି ସଂଶୋଧନ କରିଛନ୍ତି । ଜମି ବିବାଦକୁ ହ୍ରାସ କରିବା ଦ୍ଵାରା ଜମି ବିଭାଜନ ଅତ୍ୟନ୍ତ ସରଳ ହୋଇପାରିଛି । ଅଧିନିୟମ ଅନୁସାରେ ନୂତନ ରେକର୍ଡ ଅଫ୍ ରାଇଟସ୍ ପ୍ରକାଶନ ସର୍ଭେ, ସେଟେଲ୍ମେଣ୍ଟ ଏବଂ ଜମି ରେକର୍ଡର ଅପଡେଟ୍ ଭଳି କାର୍ଯ୍ୟ ତହସିଲ ମାଧ୍ୟମରେ ସମ୍ଭବ ହୋଇପାରୁଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ