ଦେବଗଡ଼: ନାଳ ଗର୍ଭରେ ଲୀନ ହେବାକୁ ବସିଛି ଏକର ଏକର ଉର୍ବର ଚାଷଜମି । ଦିନକୁ ଦିନ ନାଳ ଅଧିକ ପ୍ରଶସ୍ତ ହେଉଛି । ଏହାରି ସହ ପାଖରେ ଥିବା ଚାଷଜମି ଗୁଡିକ ଉଜୁଡି ଯାଉଛି । ଗୁଜୁରାଣ ମେଣ୍ଟାଇବା ପାଇଁ ଚାଷୀ ମୁଖ୍ୟତଃ ଚାଷକାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଜମି ସବୁ ନଷ୍ଟ ହେବାର ଦେଖି ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ନୂଆଭୂଇଁ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଏହାର ପ୍ରତିକାର ଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ନୂଆଭୂଇଁ ଗାଁରେ ବସବାସ କରନ୍ତି 100ରୁ ଊର୍ଦ୍ଧ୍ବ ଚାଷୀ ପରିବାର । ସମସ୍ତ ପରିବାର ମୁଖ୍ୟତଃ କୃଷିକାର୍ଯ୍ୟ ଉପରେ ନିର୍ଭରଶୀଳ । ଖରିଫ ପରେ ରବି ଜାତୀୟ ଫସଲ ଏବଂ ପନିପରିବା ଚାଷ କରି ଆସୁଛନ୍ତି । ବର୍ଷ ବର୍ଷ ହେଲା ଚାଷ କାର୍ଯ୍ୟ କରି ଗ୍ରାମର ସମସ୍ତ ପରିବାର ବାର୍ଷିକ ଗୁଜୁରାଣ ମେଣ୍ଟାଉଛନ୍ତି । ମାତ୍ର ଗ୍ରାମର ଚାଷୀକୁଳଙ୍କୁ ଦାଉ ସାଧୁଛି ଗାଁ ନିକଟରେ ପ୍ରବାହିତ ହେଉଥିବା ବାଳିଆପିଟା ନାଳ । ବିଗତ କିଛିବର୍ଷ ହେଲା ଏହି ନାଳରେ ବନ୍ୟା ଆସିବା ଫଳରେ ଏହାର ଗତିପଥ ପରିବର୍ତ୍ତତ ହେବା ସହ ଅଧିକ ପ୍ରଶସ୍ତ ହେବାରେ ଲାଗିଛି । ଏହି କାରଣରୁ ନାଳ ତଟରେ ଥିବା ଅଧିକାଂଶ ଚାଷଜମି କ୍ଷତିଗ୍ରସ୍ତ ହେଉଛି ।
ବିଗତ କିଛିବର୍ଷ ମଧ୍ୟରେ ପ୍ରାୟ 60 ଏକରରୁ ଅଧିକ ଉର୍ବର ଚାଷଜମି ନାଳ ଗର୍ଭରେ ଲୀନ ହୋଇ ସାରିଲାଣି । ଆଗାମୀ ଦିନରେ ପାଖାପାଖି 100 ଏକରରୁ ଅଧିକ ଜମି ଲୀନ ହୋଇଯିବାର ଆଶଙ୍କା ରହିଛି । ନାଳ ପାଣି ଚାଷଜମିକୁ ମାଡି ଆସିବା ଯୋଗୁଁ ଜମି ବାଲିଚର ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି । ଫଳରେ ଏଥିରେ ଗ୍ରାମର ଚାଷୀକୁଳ ଯଥେଷ୍ଟ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଜମି ହରାଉଥିବା ଅନେକ ଚାଷୀ ଚାଷ କରିନପାରି ହାତବାନ୍ଧି ବସିଛନ୍ତି । ଏହି ସମସ୍ୟା ନୂଆ ଭୂଇଁ ଗ୍ରାମର ଚାଷୀକୂଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।